Unknown

 

 

 

 

 

 

 

 

 

 

ସାଧୁଗୀତି

ଶ୍ରୀ ବିଶ୍ୱନାଥ ବାବା

 

ମୁଖବନ୍ଧ

 

‘ମହିମାଧର୍ମ ପ୍ରତିପାଦକ’ ଗ୍ରନ୍ଥର ଧୁରନ୍ଧର ଲେଖକ ରୂପେ ପୂଜ୍ୟପାଦ ବିଶ୍ୱନାଥ ବାବା ଉତ୍କଳରେ ସର୍ବତ୍ର ସୁବିଦିତ । ‘ସାଧୁଗୀତି’, ସେହି ସାଧକ ସାଧୁଙ୍କ ପ୍ରାଣର ସଙ୍ଗୀତ । ତେଣୁ ତନ୍ମଧ୍ୟରେ ଆଧ୍ୟାତ୍ମିକ ଆନ୍ତରିକତାର ଯେଉଁ ତଡ଼ିତ୍‌ ପ୍ରବାହ ଛୁଟିଅଛି ତାହା ପାଠକମାତ୍ରେହିଁ ଅନୁଧ୍ୟାନ କଲେ ଦେଖି ତନ୍ମୟ ନ ହୋଇ ରହିପାରିବେ ନାହିଁ ।

 

ପ୍ରାତକାଳେ ଉଭାହୋଇ କରୁଛି ସ୍ମରଣ

ମହିମା ଅଲେଖ ବ୍ରହ୍ମ ଘେନ ମୋ ଜଣାଣ

ହେ ଅଖିଳ ବିଶ୍ୱପତି

ସାଷ୍ଟାଙ୍ଗେ ଶରଣ ପଶେ ତବ ପାଦେ ନିତି ।

 

ଅକ୍ଷୟ ଅବ୍ୟୟ ଅଖଣ୍ଡିତ ନିରାକାର

ଅନହତ ନିତ୍ୟଶୁଦ୍ଧ ଅଜର ଅମର

ଅକଳ୍ପିତ ଅନାମୟ

ଅବିନାଶି, ପୂର୍ଣ୍ଣାନନ୍ଦ ଜଗତ ଆଶ୍ରୟ ।

 

ନିରାଲମ୍ବ, ନିରଞ୍ଜନ, ନିର୍ଗୁଣ, ଅଦ୍ୱୈତ

ନିଷ୍କ୍ରିୟ ନିର୍ଲେପ କ୍ରୟ ଉପାଧିରୁ ମୁକ୍ତ

 

 

ଶୂନ୍ୟ ସ୍ୱରୂପରେ ସ୍ଥିତ

ଆହେ ମହାପ୍ରଭୁ ତବ ମହିମା ଏମନ୍ତ ।

 

ପ୍ରଭୃତି ପଂକ୍ତିରେ ନିରାକାର ବ୍ରହ୍ମଙ୍କର ବିରାଟ କଳ୍ପନା କରି ବାବା ମହୋଦୟ ସ୍ୱରବ୍ୟଞ୍ଜନ ବର୍ଣ୍ଣାନୁକ୍ରମରେ ଅଲେଖବ୍ରହ୍ମଙ୍କର ଯେଉଁସବୁ ଭଜନମାନ ରଚନାକରି ନିରାକାର ଉପାସକ ଭକ୍ତ ଭାବୁକମାନଙ୍କ ହସ୍ତରେ ଅର୍ପଣ କରିବାର ଭାର ‘ପ୍ରାଚୀ ସମିତି’ ହସ୍ତରେ ଦେଇଅଛନ୍ତି ସେ ସମସ୍ତ ଭଜନ ଉଦାତ୍ତ ଭାବ ସମ୍ପଦ ଓ କମନୀୟ ସଙ୍ଗୀତ ବିଭବ ଯୋଗେ ପ୍ରାଚୀ ସମିତି କର୍ତ୍ତୃକ ପ୍ରକାଶର ଯୋଗ୍ୟ ବିବେଚିତ ହୋଇଅଛି ଓ ଆମ୍ଭମାନଙ୍କର ଆଶା ଉତ୍କଳ ତୁଲ୍ୟ ବିଭିନ୍ନ ଧର୍ମସଂପ୍ରଦାୟର ସାନ୍ଧ୍ର ବିରାଟ ଅରଣ୍ୟାନୀରେ ଏହି ନିରାକାର ଭଜନଗୁଡ଼ିକ ଯଥାଯୁକ୍ତ କ୍ଷେତ୍ରଲାଭ କରିବ ।

 

ମହିମାଧର୍ମ ଉତ୍କଳ ଦେଶର ଗୋଟିଏ ପରମ ଗର୍ବ ଗୌରବର ବସ୍ତୁ, କାରଣ ଏହା ଏଡ଼େ ପ୍ରଗତିଶୀଳ ଓ କ୍ରମବର୍ଦ୍ଧିଷ୍ଣୁ ହୋଇଉଠିଅଛି ଯେ ମନେହୁଏ ଭାରତର ନିରାକାର ଉପାସକ ସମ୍ପ୍ରଦାୟ ମଧ୍ୟରେ ଦିନେ ଏହା ଶୀର୍ଷସ୍ଥାନ ଅଧିକାର କରିବ । ଏହି ମହିମାଧର୍ମର ଆବର୍ତ୍ତମାନ ଅନିର୍ଦ୍ଦିଷ୍ଟ ରୂପକୁ ‘ମହିମାଧର୍ମ ପ୍ରତିପାଦକ’ରେ ବାବା ବିଶ୍ୱନାଥ ନିର୍ଦ୍ଦିଷ୍ଟ କରିଥିଲେ ଓ କହିବାକୁଗଲେ ସେ ଗ୍ରନ୍ଥ ଏକାଧାରାରେ ମହିମାଧର୍ମର ବେଦ ସଂହିତା ଓ ଗୀତା । ସାଧୁଗୀତି ପ୍ରଣେତା ବାବା ବିଶ୍ୱନାଶ ଗ୍ରନ୍ଥକାର ସୁଲଭ ରୂଷରୂପ ପରିହାର କରି ଆଜି ଉତ୍କଳ ଆଗରେ କବିର କମନୀୟ ରୂପରେ ଉପସ୍ଥିତ । ଉତ୍କଳ ତାଙ୍କ ବହୁତୋମୁଖୀ ପ୍ରତିଭାକୁ ସାମ୍ୟକ ପୂଜା କରିବାକୁ ଏ ପଯ୍ୟନ୍ତ ଶିଖିନାହିଁ । ବାବାଙ୍କ ପୂଜାର ଦିନ ଯେ ଶୀଘ୍ର ଆସୁଅଛି ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।

 

ସାଧୁଗୀତିଂ ନିରାକାର ଉପାସକ ସମସ୍ତଙ୍କର, ବିଶେଷତଃ ମହିମାଧର୍ମାବଲମ୍ବୀମାନଙ୍କର ଯେ ନିତ୍ୟ କଣ୍ଠଭୂଷଣ ହେବ ଏହା ଆମ୍ଭର ଦୃଢ଼ ବିଶ୍ୱାସ, ଏବଂ କବିତାର ଅନ୍ତଃସଲିଳା ଫଲ୍‍ଗୁ ବାବା ମହୋଦୟ ଏ ପର୍ଯ୍ୟନ୍ତ ହୃଦୟରେ ଗୋପନ ରଖି ଆଜି ସମଗ୍ର ଦେଶ ଆଗରେ ଯେ ସାଧକ କବିରୂପେ ଉପସ୍ଥିତ ତହିଁରେ ଆମ୍ଭେମାନେ ସାନନ୍ଦଚିତ୍ତ ହୋଇ ତାଙ୍କୁ ଅନ୍ତର ସହିତ ଅଭିନନ୍ଦନ କରୁଅଛୁ । ସାଧୁଗୀତି ପୂଜ୍ୟପାଦ ବାବାଙ୍କର ପ୍ରଥମ ଭଜନ ଗ୍ରନ୍ଥ । ଆମ୍ଭମାନଙ୍କର କାମନା ଅୟମାରମ୍ଭଃ ଶୁଭାୟ ଭବତୁ ।

 

ପ୍ରାଚୀ କର୍ମଭବନ

ଶ୍ରୀ ବିଚ୍ଛନ୍ଦଚରଣ ପଟ୍ଟନାୟକ

ତା ୧୭ । ୬ । ୩୨

ସମ୍ପାଦକ, ପ୍ରାଚୀ ସମିତି

***

 

ଅଲେଖ ବ୍ରହ୍ମଣେ ନମଃ

ପ୍ରାତଃ ସ୍ମରଣ

(ଶଙ୍କରାଭରଣ ବୃତ୍ତେ)

 

(୧)

 

ପ୍ରାତକାଳେ ଉଭାହୋଇ କରୁଛି ସ୍ମରଣ,

ମହିମା ଅଲେଖ ବ୍ରହ୍ମ ଘେନ ମୋ ଜଣାଣ,

ହେ ଅଖିଳ ବିଶ୍ୱପତି,

ସାଷ୍ଟାଙ୍ଗେ ଶରଣ ପଶେ ତବ ପାଦେ ନିତି ।

 

(୨)

 

ଅକ୍ଷୟ ଅବ୍ୟୟ ଅଖଣ୍ଡିତ ନିର୍ବିକାର,

ଅନହତ ନିତ୍ୟଶୁଦ୍ଧ ଅଜର ଅମର,

ଅକଳ୍ପିତ ଅନାମୟ

ଅବିନାଶୀ ପୂର୍ଣ୍ଣାନନ୍ଦ ଜଗତ ଆଶ୍ରୟ ।

 

 

 

(୩)

 

ନିରାଲମ୍ବ ନିରଞ୍ଜନ ନିର୍ଗୁଣ ଅଦ୍ୱୈତ,

ନିଷ୍କ୍ରିୟ ନିର୍ଲେପ କ୍ରୟ ଉପାଧିରୁ ମୁକ୍ତ,

ଶୂନ୍ୟ ସ୍ୱରୂପରେ ସ୍ଥିତ,

ଆହେ ମହାପ୍ରଭୁ ତବ ମହିମା ଏମନ୍ତ ।

 

(୪)

 

ଅରୂପ ଅନାଦି ଅନ୍ତର୍ଯ୍ୟାମୀ କୃପାମୟ,

ସର୍ବେନ୍ଦ୍ରିୟ ଅଗୋଚର ନାଶ ଦୁରାଶୟ,

ଗୁରୁରୂପେ ଜ୍ଞାନଦାନ,

ଭକ୍ତଜନେ ଦୟାକରି କର ପରିତ୍ରାଣ ।

 

(୫)

 

ସଚ୍ଚିଦାନନ୍ଦ ସ୍ୱରୂପ ଲକ୍ଷଣ ତୁମ୍ଭର,

ସୁଜ୍ଞାନୀ ଜନଙ୍କ ଚିତ୍ତେ ଅଟଇ ଗୋଚର,

ଅଜ୍ଞାନୀଏ ନ ଜାଣନ୍ତି,

ଅବିଦ୍ୟା ବିନାଶ କରେ ତବ ଜ୍ଞାନ ଜ୍ୟୋତି ।।

 

(୬)

 

ନିଶବ୍ଦ ଭୁବନେ ବାସ ନିଶ୍ଚଳ ଆସନେ,

ଅବସ୍ଥାର ଭେଦ ନାହିଁ କେ ବର୍ଣ୍ଣେ ଆନନେ

ହର, ବ୍ରହ୍ମା, ବିଷ୍ଣୁ ଆଦି,

ଇନ୍ଦ୍ର, ବୃହସ୍ପତି, ସନକାଦି, ଜନକାଦି ।

 

(୭)

 

ଊର୍ଦ୍ଧ୍ୱ, ଅଧଃ, ମଧ୍ୟ ସର୍ବ ଠାରେ ପୂରିଅଛ,

ଭୂତମାନଙ୍କର ବାହ୍ୟ ଅନ୍ତରେ ରହିଛ,

ପୃଥ୍ୱୀ ଆପ ଯେ ଗଗନ

ତେଜ ମରୁତର ଶକ୍ତି ଅଟନ୍ତି ଆପଣ ।

 

(୮)

 

ତବ ଆଭାରେ ପ୍ରକାଶ ରବି, ଶଶୀ ଆଦି

ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତ୍ରିପୁର ଭୁବନାଦି,

 

 

ଅଷ୍ଟକୁଳାଚଳ ଗିରି,

ସପତ ସାଗର ମଧ୍ୟେ ରହିଅଛି ପୂରି ।

 

(୯)

 

ଅଜ୍ଞାନ ନିଦ୍ରାରେ ରହିଥିଲି ଅଚେତନେ,

ଚେତନା ପ୍ରାପତ ହେଲା ତବ ଜ୍ୟୋତି ଗୁଣେ,

ତହୁଁ ହେଲି ଜାଗରଣ,

ଶରଣ ପଶେ ପୟରେ କର ପରିତ୍ରାଣ ।

 

(୧୦)

 

ସ୍ୱପ୍ନରେ ଯେ ଦୋଷ ଅର୍ଜିଅଛି ବୁଦ୍ଧି ମନେ,

ସୂସୁପ୍ତିରେ ବିସ୍ମରଣ ହେଲି ଅଜ୍ଞପଣେ,

ନ ଜାଣଇ ଏହୁ ଭାବ,

ସର୍ବ ଅପରାଧ କ୍ଷମାକର ଗୁରୁଦେବ ।

 

 

 

 

 

(୧୧)

 

ଜାଗ୍ରତରେ ଜଣାଉଛି ହେ ଶୂନ୍ୟବିହାରୀ,

ତବ ଶ୍ରୀଚରଣେ ଆତ୍ମା ରହୁ ଆତ୍ମା ସ୍ମରି,

ଅନ୍ୟେ ନୋହିବି ମୋହିତ,

ସର୍ବ ଅବସ୍ଥାରେ ପଦ୍ମପାଦେ ରହୁ ଚିତ୍ତ ।

 

(୧୨)

 

ଜ୍ଞାନେନ୍ଦ୍ରିୟ କର୍ମେନ୍ଦ୍ରିୟ ଏ ଅନ୍ତଃକରଣ,

ସଦନୁଷ୍ଠାନେ ସର୍ବଦା କରନ୍ତୁ ପ୍ରେରଣ,

ଏହି ପ୍ରାର୍ଥନାକୁ ଘେନ,

ଭୃତ୍ୟ ପ୍ରତି ଦୟାକର ହେ ଅଲେଖ ବ୍ରହ୍ମ ।

 

(୧୩)

 

ସର୍ବ ଧର୍ମ, କର୍ମ, ତୀର୍ଥ ବ୍ରତମାନ ଯେତେ,

ବ୍ରହ୍ମା, ବିଷ୍ଣୁ, ରୁଦ୍ର ଆଦି ଦେବତା ସହିତେ,

 

 

 

ତ୍ୟାଗକରି ରୂପ ନାମ,

ଆଶ୍ରୟ କରିଛି ତବ ଅଭୟ ଚରଣ ।

 

(୧୪)

 

ବିଘ୍ନ ହୁଏ ଅପ୍ରମିତ ଅନ୍ତର ବାହ୍ୟରେ

ନିବାରଣ କର ପଦ ସରୋଜ ରେଣୁରେ ।

ଅନ୍ୟେ ନାହିଁ ନା ସଦ୍‌ଗତି,

ପ୍ରଳୟ ପ୍ରକୃତି ନାଶେ ତୁମ୍ଭର ବିଭୂତି ।

 

(୧୫)

 

ହେ ମହିମା ଅବ୍ୟକତ ଅଖିଳ ଈଶ୍ୱର,

ଶରଣ ପଶୁଛି ସଦା ନିତ୍ୟ ବାରମ୍ବାର,

ଜ୍ଞାନ ଭକ୍ତି ଦାତା ଗୁରୁ,

ସୁଦୟାରେ ତାରିନିଅ ଏ ମାୟା ମୋହରୁ ।

 

 

 

 

 

(୧୬)

 

ପ୍ରାତଃକାଳେ ନିତ୍ୟ ଏହା ଯେ କରି ପଠନ,

ଜ୍ଞାନ ଭକତି ଯୋଗରେ କରନ୍ତି ଦର୍ଶନ,

ସେହି ବ୍ରହ୍ମନିଷ୍ଠଗଣ,

ଦେହାନ୍ତେ ପ୍ରାପ୍ତ ହୁଅନ୍ତି ଅଭୟ ଭୂବନ ।

***

 

ପ୍ରାତଃ ଅବକାଶ ଗୀତ

ଉଠ ସାଧୁ ଭକ୍ତଗଣ ହେ

କରିବା ପ୍ରଭୁ ଦର୍ଶନ

 

ଅଙ୍ଗରେ ଗୋମୟ ସମାର୍ଜନ କରି ଜଳ ତୀରେ ଯା ବହନ । ପଦ ।

 

ଗୁରୁ ନାମ ସ୍ମରି ଆଚମନ ସାରି ଅଙ୍ଗ କର ପ୍ରକ୍ଷାଳନ ।

ଶୁଦ୍ଧ ହେବ ନୀରେ ଏହୁ କଳେବର ପ୍ରାତରୁ କର ସ୍ନାହାନ । ୧ ।

 

ନ କର ବିଳମ୍ବ ଆହେ ଭକ୍ତବୃନ୍ଦ ଉଦୟ ହେବ ଅରୁଣ ।

ବ୍ରାହ୍ମ ମୁହୂର୍ତ୍ତରେ ଦରଶନ କର ପବିତ୍ର କରିଣ ପାନ । ୨ ।

 

ପୂର୍ବଦିଗ ମୁଖେ ହୋଇଣ ଯେ ଉଭା ସ୍ତୁତି କର ଉଚ୍ଚାରଣ ।

ସାଷ୍ଟାଙ୍ଗରେ ଶ୍ରୀଗୁରୁଙ୍କୁ ସପ୍ତବାର ଯତନେ କର ପ୍ରଣାମ । ୩ ।

 

ଛନ୍ଦବନ୍ଧ ଭେଦ ଆରୋହଣ ଯୋଗେ ବ୍ରହ୍ମରେ ପଶି ଶରଣ ।

ମନସୂତ୍ରେ ଜପ କରିଣ ଅମାପ ବାକ୍ୟରେ କର ପ୍ରାର୍ଥନ । ୪ ।

 

ଅକ୍ଷୟ ଅବ୍ୟୟ ଚିଦାନନ୍ଦମୟ ଅରୂପ ନିତ୍ୟ ଅବର୍ଣ୍ଣ ।

ସେ ବ୍ରହ୍ମରେ ଆଶ କରିଣ ବିଶ୍ୱାସ ଚିତ୍ତ କର ସମାଧାନ । ୫ ।

 

ମହିମା ଅଲେଖ ବ୍ରହ୍ମ ଉଚ୍ଚସ୍ୱରେ ଗାଅ ସୁଖେ ସୁଜ୍ଞଜନ ।

ଶବ୍ଦଭୂତ ଭେଦି ନିଶବ୍ଦେ ରହିବ ବହେ ଶୁଭ ସମୀରଣ । ୬ ।

 

ନୁହ ନିଦ୍ରାଗତ ଅଜ୍ଞାନେ ମୋହିତ ତ୍ୱରିତେ ଉଠ ସୁଜନ ।

ସିଦ୍ଧ ମୁନିଜନ ଆସନ ତେଜିଣ କଲେଣି ଆତ୍ମଦର୍ଶନ । ୭ ।

***

 

ଅଲେଖ ଶ୍ରୀଗୁରୁ

 

ଆତଙ୍ଗରେ ମୁହିଁ ବିନତି କରୁଛି ଉଦ୍ଧର ମାୟା ଦୁସ୍ତରୁ । ଘୋଷା ।

 

ମହା ନିତ୍ୟପୁରେ ବାସ କରିଅଛ ସୃଷ୍ଟି ନ ହେବା ପୂର୍ବରୁ ।

ବ୍ରହ୍ମା ବିଷ୍ଣୁ ରୁଦ୍ର ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ପ୍ରକାଶ ତବ ତେଜରୁ । ୧ ।

 

ସୁର ନର ନାଗ ସିଦ୍ଧ ମୁନିବର୍ଗ ସନେ ଜାତ ଭୂତାତ୍ମାରୁ ।

ଅଦ୍ଭୁତରେ ରହି ଆଜ୍ଞା ଦେଲ ଲିହି ଜାତହେଲେ ତ୍ରିଗୁଣରୁ । ୨ ।

 

ପଞ୍ଚଭୂତେ ରହି ଆଜ୍ଞାଛନ୍ତି ବହି ସ୍ତୁତି ପଢ଼ନ୍ତି ବେଦରୁ ।

ଦରଶନେ ଇଚ୍ଛା କରିଣ ଭଗତେ ଜଣାନ୍ତି ପ୍ରାତଃକାଳରୁ । ୩ ।

 

ଶୁଦ୍ଧଚିତ୍ତ ହୃଦେ ହୁଅନ୍ତୁ ପ୍ରକାଶ, ବିଜେ କରି ନିଶବ୍ଦରୁ ।

ଅଭୟ ପୟରେ ଭରସା କରିଛୁ ତାର ବିଶ୍ୱ ବାସନାରୁ । ୪ ।

 

ବାଳ ବୃଦ୍ଧା ଯୁବା ନର ନାରୀ ଯେବା ଭଜନ୍ତି ମହିମାମେରୁ ।

ଏକାଗ୍ର ମନରେ ବ୍ରହ୍ମନିଷ୍ଠା ହୋଇ ଶରଣ ମାଗନ୍ତି ଦୂରୁ । ୫ ।

 

ମୋକ୍ଷଦ୍ୱାରେ ସ୍ଥିତ ରହିଛନ୍ତି ନିତ୍ୟ ଆଜ୍ଞା ଦିଅ ଶ୍ରୀମୁଖରୁ ।

କୃପାବଲୋକନେ ଚାହିଁ ଭୃତ୍ୟଗଣେ ତ୍ରାହିକର ସନ୍ତାପରୁ । ୬ ।

 

ତ୍ରିତାପ ଅନଳେ ପଡ଼ି ନିରନ୍ତରେ ଭାବୁଅଛି ସଦଗୁରୁ ।

ସାଧୁଜନ ପାଶେ ରହି ନିତ୍ୟେ ଭାଷେ କାରଣ କର ମାୟାରୁ । ୭ ।

***

 

ସାଧୁଗୀତିର ଅବଶିଷ୍ଟ

ପ୍ରାତଃ ଅବକାଶ

(୧)

 

ଆହେ ମହାବ୍ରହ୍ମ ! ଘେନ ଘେନ ମୋହର ନିତ୍ୟ ଜଣାଣ ।

ତବ ନାମ ବିସ୍ମରି, ନିଦ୍ରାରେ ହେଲି ଘାରି, ମାୟା କରାଇଲା ଅଚେତନ ।। (ଘୋଷା)

 

ନ ଜାଣି କର୍ମର ଶୁଭାଶୁଭ, ପୂର୍ବରେ ଅର୍ଜିଲି କେଉଁ ଭାବ,

ଏବେ ହେଲା ଲାଭ, ଶରୀରମାନବ, ସଂସାରେ ହୋଇଲି ମୁଁ ପତନ । ୧ ।

 

ଶବ୍ଦାଦି ବିଷୟେ ରତ ହୋଇ, ଅଜ୍ଞାନ ଜ୍ଞାନ ଭାବକୁ ବହି,

ଇହ ପୂର୍ବଜନ୍ମେ ଅର୍ଜିଛି ଯା ଦୋଷ, ସମସ୍ତ ତାହା କର ଖଣ୍ଡନ । ୨ ।

 

ବାହ୍ୟ ଅଭ୍ୟନ୍ତର ଇନ୍ଦ୍ରିୟରେ, ସ୍ଥୂଳ ସୂକ୍ଷ୍ମ ଆଦି ଶରୀରରେ,

ଅଛି ଯେ କଳୁଷ ଝଟତି ବିନାଶ ସୁନିର୍ମଳ ରହୁ ସଦାଦିନ । ୩ ।

 

ଅବସ୍ଥା ଜାଗ୍ରତ ସୁଷୁପ୍ତିରେ, ପ୍ରପଞ୍ଚ ଆଭାଷ ଯେ ସ୍ୱପ୍ନରେ,

ତବଠାରେ ଭକ୍ତି, ସ୍ଥିର ହେଉ ମତି ତୁମ୍ଭ ବିନୁ କେହି ନାହିଁ ଆନ ।।

 

 

 

କାୟମନବାକ୍ୟ ଶରଣରେ, ପ୍ରାର୍ଥନା କରଇ ନିରନ୍ତରେ ।

ହେ ପ୍ରଭୁ ଅଲେଖ, ନାଶ ସର୍ବ ଦୁଃଖ, ତବାଧିନେ ରହୁ ଏ ଜୀବନ ।।

***

 

(୨)

 

କରୁଅଛି ବିନତି କାକୁସ୍ତ ଚିତ୍ତେ, ପଡ଼ି ସଂସାର କାଳାନଳ ସନ୍ତପ୍ତେ ।। (ଘୋଷା)

 

ହେ ଅଣାକାର, କରୁଣା କର, କରପତ୍ର ଯୋଡ଼ିଣ ଜଣାଏ ପ୍ରାତେ ।।

ଉଦ୍ଧର ଗୁରୁ, ମାୟାଦୁସ୍ତରୁ, ସାଷ୍ଟାଙ୍ଗରେ ଶରଣ ବ୍ରହ୍ମ ମୁହୂର୍ତ୍ତେ । ୨ ।

 

ମାୟା ମୋହେତ, ହୋଇଛି ଭୀତ, ତବବିନୁ ଆଶ୍ରୟ ନାହିଁ ଜଗତେ ।।

ହେ ନିରଞ୍ଜନ, ଅଲେଖ ବ୍ରହ୍ମ, ସୁଧାବାରି ବର୍ଷଣ କର ତୁରିତେ । ୪ ।

 

ଦିଅ ସଦ୍‌ଜ୍ଞାନ, ନାଶ ଅଜ୍ଞାନ, ତବ ପୟରେ ଭକ୍ତି ରହୁ ନିରତେ । ୫ ।

ହେ ମହାପ୍ରଭୁ, ତାର ଏ ଭବୁ, ନିରବଧି ପ୍ରାର୍ଥନା କରଇ ଏତେ । ୬ ।

***

 

(୩)

 

ଉଠ ହେ ଜଗତବାସୀ ପ୍ରାତଃକାଳ ହେଲା ଆସି,

ଜଗଜ୍ଜନ ପିତା, ଜଗତକରତା ଚେତନା ଦେଲେ ବିକାଶି । ଘୋଷା ।

 

ଅଜ୍ଞାନ ନିଦ୍ରାରେ ହୋଇ ବିମୋହିତ, କରିଅଛି ଅବା ଯେତେ ଦୋଷକୃତ

ସେ ପାପ ସକଳ, ପ୍ରଭୁ ଆଦିମୂଳ, ଜ୍ଞାନାଗ୍ନିରେ ଦେବେ ଧ୍ୱଂସୀ । ୧।

 

ଶୁଭ ନିତ୍ୟ କର୍ମେ ସଦା ହୁଅ ରତ, ଅଶୁଭ କର୍ମରେ ନ ବଳାଅ ଚିତ୍ତ,

ଭକ୍ତିକର ସର୍ବେ ନିର୍ମଳ ହୃଦୟେ, ପରଂବ୍ରହ୍ମେ ଦିବାନିଶି ।୨।

 

ବିଷୟ ଅରଣ୍ୟ ମହାଭୟଙ୍କର, ଜାଗ୍ରତ ମନରେ ହୁଅ ଅଗ୍ରସର ।

ଅନାଶକ୍ତ ଭାବେ କର୍ମ ସମ୍ପାଦିବ, ବ୍ରହ୍ମମନ୍ତ୍ର ହୃଦେ ଘୋଷି ।୩।

 

ଅବିଦ୍ୟା ଶକ୍ତିରୁ ଜାତ ଏ ସଂସାର, ଅବିଦ୍ୟା ତିମିର ଘୋଟିଛି ତ୍ରିପୁର ।

ପରମ ବିଦ୍ୟାରେ ଅବିଦ୍ୟା ନାଶଇ, ପରମେ ହୁଅ ବିଶ୍ୱାସୀ ।୪।

 

ଉପାଦେୟ ଗୁରୁ ସୁଶାସ୍ତ୍ର ବଚନ, ଅନ୍ତର ଆତ୍ମାରେ କରି ବିଚାରଣ ।

ସତ୍ୟ ଧର୍ମାଶ୍ରିତ ହୁଅ ଯେ ନିରତ, ସତ୍ୟପଦେ ମନ ତୋଷି ।୫।

 

 

 

ଜୀବର ବନ୍ଧନ ବିନାଶ କାରଣେ, ସାଧୁସଙ୍ଗେ ଭଜ ଅଲେଖ ନିର୍ଗୁଣେ,

ପ୍ରାଣ ଅନ୍ତେ ମୋକ୍ଷ ପଦକୁ ଲଭିବ, ଆତ୍ମା ଆତ୍ମେ ଜିବ ମିଶି ।୬।

***

 

(୪)

 

ବିମଳ ମତିରେ ବିମଳ ଭକ୍ତିରେ

ଅଲେଖ ବ୍ରହ୍ମଙ୍କୁ ଭଜ ଅହ ରହ ରେ ।

ନିଶି ହୋଇଲା ଶେଷ ଦିବା ହେଲା ପ୍ରବେଶ

ନିସତ ନ ହୁଅ ଆଉ କଦାଚିତରେ । ଘୋଷା ।

 

ନିଶାଚର ଗଣ, କଲେ ପଳାୟନ,

ଉଦୟ ହୋଇଲା ଯହୁଁ ଶୁଭକାଳରେ ।

ଆତ୍ମା ମଧ୍ୟେ ବିଚାରି, ପରମାତ୍ମାଙ୍କୁ ସ୍ମରି,

ଶରଣ ପଶ ହେ ସର୍ବେ ବେନି ସନ୍ଧ୍ୟାରେ ।୧।

 

ଶରୀର ବୁଦ୍ଧି ମନ,       ପ୍ରାଣ ଇନ୍ଦ୍ରିୟ ଗଣ,

ସକଳ ସମର୍ପି ଦିଅ ପ୍ରଭୁ ପୟରେ ।

ତାଙ୍କ ତେଜରୁ ଜାତ, ହୋଇଅଛି ଜଗତ,

ସେ ଅଟନ୍ତି ସମସ୍ତଙ୍କ ଇଷ୍ଟ ଦେବରେ ।୨।

 

ଏକ ପ୍ରଭୁଙ୍କୁ ଭଜ, ଅନ୍ୟଦେବ ନ ପୂଜ,

ଏକ ପ୍ରଭୁ ପୁରିଛନ୍ତି ତିନି ପୁରରେ ।

 

 

ଯେତେ ଏ ନାମରୂପ, ସେ ସର୍ବ ମାୟାକଳ୍ପ,

ସଚ୍ଚିଦାନନ୍ଦରେ ମଜ୍ଜ ଅଣରୂପରେ ।୩।

 

ପୂର୍ବେ କି ଭାଗ୍ୟରେ, ସୁକୃତ କର୍ମରେ,

ଉଦୟ ହୋଇଛି ଆସି ସତ୍ୟ ଧର୍ମରେ

ସତ୍ୟୋପଦେଶ ଘେନ, ସତ୍ୟ କରି ପାଳନ,

ଅନୁଷ୍ଠାନ କର ସଦା ସତ୍ୟ କ୍ରିୟାରେ ।୪।

 

ଅନୃତ ହିଂସାବାଦ, କାମ କ୍ରୋଧାଦି ତେଜ,

ଅହିଂସାବ୍ରତକୁ ଦୃଢ଼େ ଧର ମନରେ ।

ହୃଦ କରି ନିର୍ମଳ, ନାଶି ମାୟା କୁଟିଳ,

ଭ୍ରମି ନ ଯାଅ କେବେ କାମ୍ୟ କର୍ମରେ ।୫।

 

ପ୍ରବୃତ୍ତି ମାର୍ଗ ତେଜ, ନିବୃତ୍ତି ମାର୍ଗ ହେଜ,

ନିଗମ ତତ୍ତ୍ୱକୁ କରି ଅନୁମାନରେ,

ବିବେକ ଜ୍ଞାନ ଭେଦ, ଲଭିବ ମୋକ୍ଷ ପଦ,

ନିରନ୍ତରେ ଗାଅ ସୁଧା ସାଧୁ ଗୀତିରେ ।୬।

***

 

ସାୟଂ ଜଣାଣ

ରାଗ-ବଙ୍ଗଳାଶ୍ରୀ

 

ରବି ଅସ୍ତ ଗଲା ସନ୍ଧ୍ୟାକାଳ ହେଲା ଆହେ ପ୍ରଭୁ ଶୂନ୍ୟବାସି ।

ରକ୍ଷାକର ଏବେ ଜଣାଉଛି ଲବେ ପ୍ରବେଶ ହେଉଛି ନିଶି । ୧।

 

ଦିବସରେ ମୁହିଁ କାୟମନ ବାକ୍ୟେ ଇନ୍ଦ୍ରିୟଗଣଙ୍କ ରୋଷେ ।

ଅର୍ଜିଅଛି ଯେତେ କହି ନୋହେ କେତେ ମଜିଛି ବିଷୟା ଦୋଷେ ।୨।

 

ନାହିଁ ମୋ ଆୟତ୍ତ ଶ୍ରୀଚରଣେ ଭୃତ୍ୟ ହୋଇଛି ଆଦ୍ୟକାଳରୁ

ନିବାରଣ କର କଳଙ୍କ ଅପାର ଦୟାକରି ସଦଗୁରୁ । ୩ ।

 

ତୁମ୍ଭେ ତାତ ମାତ ଇଷ୍ଟବନ୍ଧୁ ଭ୍ରାତ ଭଗତ ହୃଦୟମଣି ।

ତେଣୁ ତବପାଦେ ବିନତି କରୁଛି ଭବରୁ ରଖିବ ଛାଣି । ୪ ।

 

ରୂପ ନୁହେ ଦୃଶ୍ୟ ଅରୂପ ଅଦୃଶ୍ୟ ଅନାଦି ଅଲେଖବ୍ରହ୍ମ ।

ଶୂନ୍ୟକୁ ଚାହିଁଣ ଜଣାଣ କରୁଛି ଛେଦ ଅବିଦ୍ୟା ବନ୍ଧନ । ୫ ।

 

ଅଣାୟତ୍ତେ ନିତ୍ୟେ ଭାବୁଅଛି ଚିତ୍ତେ ଶରଣ ପଶି ପୟରେ ।

ଉଦ୍ଧାର ମାୟାରୁ କର୍ମ ଦୁର୍ଦ୍ଦଶାରୁ ସୁଦୟା କରି ଅନ୍ତରେ । ୬ ।

 

ଦିଅ ସଦଜ୍ଞାନ ନାଶ ଏ ଅଜ୍ଞାନ କାମ କଳ୍ପନା ନିବାରି ।

ନିଷ୍କାମ ଭାବରେ ସୁପ୍ରେମ ଭକ୍ତିରେ ରହୁ ଚିତ୍ତ ଅନୁସରି । ୭ ।

 

ଏହି କୃପା କର ଆହେ ଅଣାକାର ହେ ଜୀବର ପ୍ରାଣପତି ।

ଅନ୍ୟେ ନାହିଁ ଆଶା କରିଛି ଭରସା ତବ ଶ୍ରୀପୟର ପ୍ରତି । ୮ ।

 

ତବ ନାମ ମୁଖେ ଗାୟନ କରିଣ ଆତ୍ମା ସୁଖେ ସାଧୁ ସଙ୍ଗେ ।

ରହୁ ଅହର୍ନିଶି ହୃଦପଦ୍ମେ ଘୋଷି ମଜିଣ ଜ୍ଞାନତରଙ୍ଗେ । ୯ ।

 

ଅସତ ସଙ୍ଗରେ ଅସତ କାର୍ଯ୍ୟରେ ପ୍ରବଳ ନ ହେଉ ଚିତ୍ତ ।

ମାନି ଗୁରୁବାକ୍ୟ ବେଦ ସାରସ୍ୱତ ମନ ହେଉ ବଶୀଭୂତ । ୧୦ ।

 

ତବ ସତ୍ୟଜ୍ଞାନ ଅନନ୍ତ ରୂପକୁ ଅନ୍ତରେ ଅନ୍ତରେ ଭାବି ।

ହେଉ ନିଦ୍ରାଗତ ନୋହୁ ବିମୋହିତ ନ ଦିଶୁ ମାୟାର ଛବି । ୧୧ ।

 

ନିଶି ଶେଷଭାଗ ପ୍ରବେଶ ସମୟେ ଚେତନା ଆସୁ ଏ ହୃଦେ ।

ଜ୍ଞାନ ଭକ୍ତିଯୋଗେ ମଜିଣ ନିରତେ ନ ପଡ଼ୁ ପ୍ରପଞ୍ଚବାଦେ । ୧୨ ।

 

ସଦା ତବାଧୀନେ ରହୁ ଏ ଜୀବନ ଅନ୍ୟରେ ଏ ହେଉ ପ୍ରୀତି ।

ପ୍ରାତଃ ସାୟଂକାଳେ ବ୍ରାହ୍ମ ମୁହୂର୍ତ୍ତରେ ଶରଣ ମାଗୁଛି ନିତି । ୧୩ ।

 

ଅଶେଷ ଭୁବନ କରୁଛ ପାଳନ ଆହେ ପ୍ରାଣର ବଲ୍ଲଭ ।

ପ୍ରକୃତିରୁ ଭିନ୍ନ ଅଟନ୍ତି ଆପଣ ତାରନ୍ତି ଏ ଭବାର୍ଣ୍ଣବ । ୧୪ ।

 

ଜଗତ ଜୀବନ ଅବିନାଶୀ ବ୍ରହ୍ମ ଭକ୍ତହିତକାରୀ ଗୁରୁ ।

ଅନନ୍ତ ଅକ୍ଷୟ ଅନାମ ଅବ୍ୟକ୍ତ ଅଲେଖ ମହିମାମେରୁ । ୧୫ ।

 

ଶିରେ କରପତ୍ର ଯୋଡ଼ିଣ ମୁଁ ନିତ୍ୟ ସାଷ୍ଟାଙ୍ଗେ ଗଲି ଶରଣ ।

ଅନ୍ତର୍ଯ୍ୟାମୀ ନାଥ ଫେଡ଼ି ମୋ ଆରତ ଯାହା ମୁଁ କଲି ଜଣାଣ । ୧୬ ।

***

 

ହେ ବ୍ରହ୍ମ ଅଲେଖ ଅବ୍ୟୟ, ସୁଦୟାମୟ

ସୁକରୁଣାମୟ ହେ ବିଭୁ ଅକ୍ଷୟ, ନାଶ ଏ ତ୍ରିତାପଭୟ । ଘୋଷା ।

 

ପ୍ରାତଃସାୟଂରେ ତବ ଆଜ୍ଞାରେ ଅନୁଭବେ କରି ଥୟ । ୧ ।

 

କାୟମନରେ ବାକ୍ୟ ଭାବରେ ଶରଣ ଶରଣାଳୟ । ୨ ।

 

ସର୍ବଧର୍ମକୁ ତେଜି ଦୂରକୁ ଭକ୍ତିଭାବରେ ଆଶ୍ରୟ । ୩ ।

 

ପରମଗୁପ୍ତ ଏ ଜ୍ଞାନ ନିତ୍ୟ ଶାସ୍ତ୍ରରେ ଅଛି ନିଶ୍ଚୟ । ୪ ।

 

ତୁମ୍ଭ ଆଭାସ ମୁଁ ହୀନ ଦାସ ତେଣୁ ମୁଁ ତୁମ୍ଭ ତନୟ । ୫ ।

 

ତୁମ୍ଭେ ମୋହର ମୁହିଁ ତୁମ୍ଭର ନାହିଁ ନା ଏଥେ ସଂଶୟ । ୬ ।

 

ଏମନ୍ତ ଭାବେ ରହି ସତ୍ସଙ୍ଗେ ବାରମ୍ବାର କରେ ଲୟ । ୭ ।

***

 

ଦୟାସାଗର ହେ ମୋର ପ୍ରାର୍ଥନା ଏତିକି ।

ତବ ନାମପ୍ରେମେ ରହୁ ସଦା ମନ ନ ଯାଉ ଅନ୍ୟ ରୀତିକି । ଘୋଷା ।

 

ପୂର୍ବ ବାସନାରେ କର୍ମବିଭାଗରେ ଧରି ଧର୍ମନିକିତିକି ।

ମାୟାକଳେବର ଅନିତ୍ୟ ସଂସାର, ଜନମଦେଲ ତହିଁକି । ୧ ।

 

ଅବିଳମ୍ବେ ମୋତେ କୃପାକରି ଚିତ୍ତେ ଦେଖାଅ ଜ୍ଞାନଗତିକି,

ନୋହିଲେ ଅଜ୍ଞାନ କବଳିତ କରି ଛନ୍ଦିବ କାଳ ଫାଶିକି । ୨ ।

 

ବ୍ରହ୍ମଭଗତିରେ ଚିତ୍ତ ରହୁ ଧୀରେ, ଯେମନ୍ତେ ପ୍ରାପ୍ତ ଶାନ୍ତିକି ।

ଜାଗ୍ରତସ୍ୱପ୍ନରେ ସୁସୁପ୍ତାବସ୍ଥାରେ, ରସିବି ପ୍ରେମଭକ୍ତିକି । ୩ ।

 

ପଞ୍ଚବିଷୟକୁ ଶ୍ରୋହା କରିବାକୁ ନ ଦିଅ ଦୁଷ୍ଟ ମତିକି ।

ତୁମ୍ଭେ ସର୍ବେଶ୍ୱର ବିଭୁ ଅଣାକାର ଖଣ୍ଡ ଦୁଃଖ ଦୁର୍ଗତିକି । ୪ ।

 

ପଞ୍ଚକୋଷମଧ୍ୟେ ଆଚ୍ଛାଦିତ ହୋଇ ଭରସା ତବ ଗୀତିକି ।

ସାଧୁସଙ୍ଗ ମେଳେ ରହି ନିତ୍ୟ ଭାଳେ ଜଣାଣ ପାଦକତିକି ।।

***

 

ସ୍ୱରବ୍ୟଞ୍ଜନ ବର୍ଣ୍ଣାନୁସାରେ ଭଜନ

 

(ଅ)

 

ଅଲେଖ ଅକ୍ଷୟ ପରମ ବ୍ରହ୍ମରେ ଶରଣ ପଶୁଛି ବାରମ୍ବାର

ଅନାମ ଅନନ୍ତ କରି ନୋହେ ଅନ୍ତ ଅକଳ୍ପଣ ନିତ୍ୟ ନିରାଧାର ।

ଅବିକାରଦେହି

ଅନୁଭବେ କେ ପାରିବ କହି । ୧ ।

 

ଅଲୀକ ସଂସାରେ ଅଣଆୟତ୍ତରେ ଅର୍ଜନ କରିଛି କେତେ ଦୋଷ ।

ଆସନେ ଶୟନେ ଗମନାଗମନେ ଅନ୍ତରେ କଳ୍ପିତ ବହି ରୋଷ ।

ଅବିବେକପଣେ,

ଅପଚୟ ବୁଦ୍ଧି ନାହିଁ ଜାଣେ । ୨ ।

 

ଅନ୍ତର୍ଯ୍ୟାମୀପ୍ରଭୁ ଅନୁକମ୍ପା ବହି ଅନ୍ତରାୟ କରି ନିବାରଣ ।

ଅପରାଧ ଯେତେ କ୍ଷମାଦିଅ ମୋତେ ଅନୁତପ୍ତ ହେଉଅଛି ପ୍ରାଣ ।

ଅନୁଗ୍ରହକର,

ଅନୁଗତ ତବ ପାଦାମ୍ୱର । ୩ ।

 

 

 

ଅନୁକ୍ଷଣେ ଜ୍ଞାନ ଭକ୍ତିର ତରଙ୍ଗେ ଅନୁରକ୍ତ ରହୁ ଏ ହୃଦରେ

ଅସ୍ଥିର ହୋଇଲେ ଅନାଥର ପ୍ରାୟେ ଅନାୟାସେ ଭବଅକୂପାରେ ।

ଆକୁଳିତ ହୋଇ,

ଅଯତ୍ନରେ ମଜ୍ଜିବଇଁ ତହିଁ । ୪ ।

 

ଅବ୍ୟକ୍ତରୁ ବ୍ୟକ୍ତ ହୋଇ ଅବତୀର୍ଣ୍ଣ ଅବନୀରେ ଆସି ବିଜେ କଲ

ଅବଧୂତ ବେଶେ ସ୍ଥାପି ସତ୍ୟଧର୍ମ ଅଭିଜ୍ଞ ଭକ୍ତଙ୍କୁ ଉଦ୍ଧରିଲ ।

ଅନିଚ୍ଛାରେ କେତେ,

ଅଭୟ ପାଦକୁ ପ୍ରାପ୍ତ ସତେ । ୫ ।

 

ଅସୂୟାଦି ରିପୁ ଦମନ କରିଣ ଅବୋଧ ଚିତ୍ତକୁ ବୋଧକର ।

ଅହର୍ନିଶି ଭାବୁଅଛି ତବନାମ ଅରକ୍ଷ ଜୀବକୁ ରକ୍ଷାକର ।

ଆହେ ଅଣାକାର,

ଅସ୍ତୁକର ଧ୍ରୁବ ଏହୁଗିର । ୬ ।

***

 

(ଆ)

 

ଆସ ହେ ବିବୁଧଗଣେ, ଆନନ୍ଦ ହୃଦୟମନେ ।

ଆତ୍ମଜ୍ଞାନ ବ୍ରହ୍ମଦୀକ୍ଷା ଉଦେ ହୋଇଛି ଭୁବନେ । ଘୋଷା ।

 

ଆଚାର ବିଶୁଦ୍ଧକରି ଗୁରୁ ଆଜ୍ଞା ଅନୁସରି ।

ଆଶ୍ରିତ ହୁଅ ବ୍ରହ୍ମରେ ଆଗମ ବାକ୍ୟ ବିଧାନେ । ୧ ।

 

ଆତୁର ନହୋଇ ଭବେ ଆଲୋଚନାକରି ସର୍ବେ ।

ଆତଙ୍ଗ ନାଶନ ବିଭୁ ବିଜେ କରିଛନ୍ତି ଶୂନ୍ୟେ । ୨ ।

 

ଆୟତ କରି ମନକୁ ଘୋଷ ଅନାମ ନାମକୁ ।

ଆରାଧନା କର ନିତ୍ୟ ଅଲେଖ ସତ୍ୟ ନିର୍ଗୁଣେ । ୩ ।

 

ଆପଦ ତ୍ରିବିଧାକାର ଆଭା ହୋଇବ ନିବାର ।

ଆଜନ୍ମରେ ନୁହ ଭ୍ରମ ଆସୀନ ହେବ ପରମେ । ୪ ।

 

ଆଶଙ୍କା ତେଜି ଅନ୍ତରୁ ଲୟକର ସଦଗୁରୁ ।

ଆସ୍ୟେ ମୃଦୁ ବାକ୍ୟ ଭାଷ ଅନ୍ତେ ପ୍ରାପ୍ତ ମୋକ୍ଷଧାମେ ।

***

 

(ଇ)

 

ଇହଜନ୍ମରେ ନାମବ୍ରହ୍ମେ ମଜ ଧୀରେ ।

ଇ ଦେବତା ସେହି, ଶ୍ରୀଗୁରୁ ଶୂନ୍ୟଦେହୀ

ଇଚ୍ଛା ପୂର୍ଣ୍ଣ କରନ୍ତିରେ । ଘୋଷା ।

 

ଇନ୍ଦ୍ରଜାଲ ପରାୟ, ଅଟେ ଏ ମାୟା ମୋହ

ଇଜ୍ଜତ ସରେ ତହିରେ । ୧ ।

 

ଇନ୍ଦ୍ରିୟ ଭୋଗାଶାରେ, ରସିଣ ଅଜ୍ଞ ନରେ

ଇହକାଳ ହରାନ୍ତିରେ । ୨ ।

 

ଇଚ୍ଛୁକ ହୁଏ ମନେ ଆତ୍ମଜ୍ଞାନ ଅର୍ଜନେ

ଇୟତ୍ତା ମିଳିବ ବାରେ । ୩ ।

 

ଇ ନାମ ପ୍ରାପ୍ତ ହେବ, ଭଜିଲେ ଗୁରୁଦେବ

ଇତିରେ ମୋକ୍ଷ ପ୍ରାପ୍ତରେ । ୪ ।

***

 

(ଈ)

 

ଈଶ୍ୱର ଉପାଧିରୁ ଅତୀତ ବ୍ରହ୍ମ । ଘୋଷା ।

 

ଈକ୍ଷିତ ନୁହେଁ କେଭେଁ ଅଜ୍ଞାନ ମତ୍ତ ଗର୍ବେ ;

ଈକ୍ଷଣ ଯେ ଈନ୍ଦ୍ରିୟ ଆଦିରୁ ଭିନ୍ନ । ୧ ।

 

ଈଶାନ ବିଷ୍ଣୁ ବ୍ରହ୍ମା ନପାନ୍ତି ଯାର ସୀମା,

ଈହା କରି ବହୁତ ଧ୍ୟାନେ ନିମଗ୍ନ । ୨ ।

 

ଈର୍ଷ୍ୟା କପଟମାନ ତ୍ୟାଗକର ସୁଜନ,

ଈପ୍‌ସା ତେଜି ଦର୍ଶନେ ପଶ ଶରଣ । ୩ ।

 

ଈଦୃଶ ଭାବେ ରତ ହେଲେ ହେବ କୃତାର୍ଥ

ଈଷତେ ସାଧୁ ସଙ୍ଗେ କର ଚିନ୍ତନ । ୪ ।

***

 

(ଉ)

 

ଉଭା ହୋଇ ପ୍ରଭୁ ପାଦେ କର ଗୁହାରି

ଉଷତ ଚିତ୍ତରେ ଗୁରୁଙ୍କୁ ଅନୁସରି । ଘୋଷା ।

 

ଉପାସ୍ୟ ଅଟନ୍ତି ବ୍ରହ୍ମ, ଉପାସନା କର ମନ

ଉପଶମ ଭାବେ ବିଧିବାକ୍ୟକୁ ଧରି । ୧ ।

 

ଉଦିତ ହୋଇବ ଜ୍ଞାନ, ଉଷାରେ କର ଜଣାଣ

ଉପବାସ ରହି ନିଶି ନାଶି ଅଇରି । ୨ ।

 

ଉପେକ୍ଷା କରି ସାକାର, ଉପାଧି ନାମ ଆବର,

ଉପବିଷ୍ଟ ହୁଅ ବ୍ରହ୍ମେ ଦିବା ଶର୍ବରୀ । ୩ ।

 

ଉପବୀତ ଜ୍ଞାନ ସୂତ୍ର ଉରପରେ ବହି ନିତ୍ୟ,

ଉପଧର୍ମ ମାନ ଯେତେ ଦୂରେ ନିବାରି । ୪ ।

 

ଊର୍ଦ୍ଧ୍ୱବାହୁ ହୋଇ କ୍ଷଣେ ଉଚିତ ବାକ୍ୟ ବଖାଣେ,

ଉପକୃତ ହେବ ଭବୁ ଯିବ ଉଦ୍ଧରି । ୫ ।

 

 

 

ଉପଦେଶ ମାନି ସର୍ବେ, ଉପଲବ୍ଧି କର ଏବେ,

ଉପହାସ ନୋହେ ଅଟେ ବେଦରଶିରୀ । ୬ ।

***

 

(ଊ)

 

ଊହ ଭାବ କରି ଦୂର ଭଜ ଶ୍ରୀଗୁରୁ ପୟର । ଘୋଷା ।

 

ଊଷର ଭୂମିର ପରି କାମ ଅଟେ ଯାର ଶୀରି ।

ଊଢ଼ଭାବେ ରସି ସେହୁ ବପୁ ହରାଏ ନିକର । ୧ ।

 

ଊର୍ମି ବାସନା ଯେ କ୍ରୟ ଜ୍ଞାନବଳେ କରିଜୟ

ଊଣା ନ କରି ମନକୁ ଚଳ ସତ୍ୟାଦି ମାର୍ଗର । ୨ ।

 

ଊର୍ଣ୍ଣନାଭ ସୂତ୍ରଠାରୁ ବୁଦ୍ଧି ଅଟେ ଯାର ସରୁ ।

ଊର୍ଜ୍ୱସ୍ୱଳ ହୋଇ ସେହି ନାଶେ ଅଜ୍ଞାନ ଅନ୍ଧାର । ୩ ।

 

ଊନେ ଊନେ ସାଧ୍ୟକର ଅଜପା ଅଣଅକ୍ଷର ।

ଊର୍ଦ୍ଧ୍ୱଗତି ହେବ ପ୍ରାପ୍ତ ଭାଷେ ସୁଧା ସାଧୁ ଗିର । ୪ ।

***

 

(ଋ)

 

ଋଗ୍‌ବେଦାଦି ଗ୍ରନ୍ଥ ମଧ୍ୟେ ଯେଉଁ ବାକ୍ୟ ଅଟେ ସ୍ଥିର ।

ଋଜୂକରି ହୃଦୟକୁ ରଟନାକର ଜିହ୍ୱାର । ଘୋଷା ।

 

ଋଷିମୁନି ସାଧୁ ସିଦ୍ଧ ଜପୁଛନ୍ତି ଯାର ନାଦ ।

ଋତମାର୍ଗେ ରହି ନିତ୍ୟ ଚିନ୍ତନ୍ତି ଅହର୍ନିଶିର । ୧ ।

 

ଋଦ୍ଧି ବିଷୟାକୁ ତେଜି ନିଷ୍କାମରେ ଥାନ୍ତି ମଜି ।

ଋଷ୍ୟଶୃଙ୍ଗ ଭ୍ରମ ହୋଇ ବନ୍ଦି କାମିନୀ ଫାଶର । ୨ ।

 

ଋତୁରାଜେ ପିକ ଯେହ୍ନେ ରାବଇ ଆନନ୍ଦ ମନେ ।

ଋତୁ ଛଡ଼ ସମଭାବେ ତେହ୍ନେ ଗାଅ ନାମ ସାର । ୩ ।

 

ଋକକର ଅଧ୍ୟୟନ ବ୍ରହ୍ମରେ ପଶି ଶରଣ ।

ଋଣୀହୋଇ ବିଭୁପାଦେ ଜନ୍ମିଛ ଏହୁ ମର୍ତ୍ତ୍ୟର । ୪ ।

***

 

(ଋ)

 

ରୂପ ଗୁଣ ତେଜି ନିର୍ଗୁଣେ ମଜ୍ଜ

ଅଲେଖ ଅନାମ ଅରୂପ ବ୍ରହ୍ମକୁ ଅନୁମାନ ସୂତ୍ରେ ତାହାଙ୍କୁ ଭଜ । ଭଜ ।

 

ରୂଢ଼ ହୋଇ ରହିଅଛି ଆଦ୍ୟରୁ ଶରଣ ପଞ୍ଜର ମହିମାମେରୁ ।

ରୂପାନ୍ତର ନୋହେ ନିଷ୍କାମରେ ଥାଏ;

ଭକ୍ତିକର ସର୍ବେ ସେ ପାଦାମ୍ବୁଜ । ୧ ।

 

ରୂପାସୁନା ଆଦି ଭୂଷଣମାନ ଅଙ୍ଗରେ କେଭେ ନ କର ମଣ୍ଡନ ।

ଗୁରୁପାଦ ରେଣୁ ବୋଳି ହୋଇ ତନୁ

ସାଧୁ ସଙ୍ଗେ ଆତ୍ମଜ୍ଞାନ ଅରଜ । ୨ ।

 

ରୂପାସ୍ତ୍ରର ତାପ ହୋଇବ ନିହତ ଶୁଭପଥେ ମନ କର ହେ ସଙ୍ଗତ ।

ଋଣ କ୍ରୟଦୋଷ ନିଶ୍ଚେ ହେବ ନାଶ,

ନ ଜନ୍ମିବ ଆଉ ପୂର୍ବ କର୍ମଜ । ୩ ।

 

ରୂପକ ଯେ କିଛି ନାହିଁ ତ୍ରିପୁରେ, ଉପମା ହେବାକୁ ପ୍ରଭୁ ପୟରେ ।

ସେହି ପାଦେ ଆଶ କରିଣ ବିଶ୍ୱାସ,

ଗାଅ ସତ୍ୟ ନାମ ତେଜିଣ ଲାଜ । ୪ ।

 

(ଲୁ)

 

ଲୁପ୍ତ ହେବ ଯେ ଏହୁ ଶରୀର, ଲୟକର ନାମ ବ୍ରହ୍ମର । ଘୋଷା ।

 

ଲୁଚନା ମାୟାରେ ମଜି ବିଷୟ ରସରେ,

ଲୁବ୍ଧ ନହୋଇ ତହିଁରେ, ନିତି ଜପ ଅଣାକ୍ଷର । ୧ ।

 

ଲୁକ୍କାୟିତ ହୋଇ ଆତ୍ମାଦେହ ମଧ୍ୟେ ରହି,

ଲୁବ୍ଧକ କାଳ ଗ୍ରାସୀଲେ ତେଜଇ ଏକଳେବର । ୨ ।

 

ଲୁଣ୍ଠନ କରିଣ ଜ୍ଞାନନାଶେ ରିପୁଗଣ,

ଲୁଚାଇ ରଖି ଅଜ୍ଞାନେ ଜୀବକୁ ପଞ୍ଚଭୂତର । ୩ ।

 

ଲୁଣ୍ଠନ ହୋଇଣ ବ୍ରହ୍ମରେ ପଶ ଶରଣ,

ଲୂନହେବ ମାୟାଜାଲ ଜୀବ ଯିବ ମୋକ୍ଷପୁର । ୪ ।

***

 

(ଏ)

 

ଏକ ବ୍ରହ୍ମରେ ଏକାନ୍ତେ କର ଭଗତି,

ଏକାଗ୍ର ସୁମନରେ ଏକାତ୍ମା ବିଶ୍ୱାସରେ,

ଏଷଣା ତେଜି ସଂସାର ପ୍ରତି । ଘୋଷା ।

 

ଏକ୍ୱୌଶପୁରେ ଶ୍ରେଷ୍ଠ ଅଟନ୍ତି ସେ ପୁରୁଷ,

ଏକତ୍ୱେ ମଜ ତେଜିଣ ଭୀତି । ୧ ।

 

ଏକ ଦିଗରେ ନାହିଁ ସେ ପ୍ରଭୁ ଶୂନ୍ୟ ଦେହୀ,

ଏକେ ସର୍ବତ୍ରେ ପୂରିଅଛିନ୍ତି । ୨ ।

 

ଏକ ଅଂଶି ତାଙ୍କର ଅଟେ ଏ ଜୀବକୁଳ,

ଏଣୁ ବୋଲାନ୍ତି ପ୍ରାଣର ପତି । ୩ ।

 

ଏବେ ନ ହୁଅ ଭ୍ରମ ଯେ ଅଛ ସୁଜ୍ଞଜନ

ଏକ ଭକ୍ତିରେ ପ୍ରାପ୍ତ ସୁଗତି । ୪ ।

***

 

(ଐ)

 

ଐଶ୍ୱର୍ଯ୍ୟ ମଦକର ଦୂର, ହେ ସୁଜ୍ଞନର । ଘୋଷା ।

 

ଐହିକ ଭୋଗାଶାରେ କାମିନୀକାଞ୍ଚନରେ

ଐଛିକତେଜ ଯେ ତହିଁର । ୧ ।

 

ଐନ୍ଦ୍ରଜାଲିକ ସମ ସଂସାର ସ୍ୱପ୍ନୋପମ

ଐଶ ଅଟଇ ଏଥେ ସାର । ୨ ।

 

ଐକାନ୍ତିକ ସୁମନେ       ଭଜ ଅଲେଖ ବ୍ରହ୍ମେ

ଐତିହ୍ୟ ଥିବ ପୃଥିବୀର । ୩ ।

 

ଐକ୍ୟମତ ହୋଇଣ ଲୟ କର ପରମ

ଐକ୍ୟ ହୋଇବ ଦେହାନ୍ତର । ୪ ।

***

 

(ଓ)

 

ଓଁ କାର ପରମପାଦ ଓଜସ୍ୱୀ ହୋଇ ରହିଛି ସେହୁ ନିଶବ୍ଦ । ଘୋଷା ।

 

ଓତ ପ୍ରୋତ ଭାବରେ, ତ୍ରିପାଦ ତ୍ରୟାକ୍ଷରେ

ଓଲଟି ନିଜ କାମ କରେ ସମ୍ପାଦ । ୧ ।

 

ଓଷାର ଦୈର୍ଘ୍ୟ ଯେତେ ବଖାଣି ନୋହେ କେତେ

ଓଜର ମିଳେ କିଛି ଲୋଡ଼ିଲେ ବେଦ । ୨ ।

 

ଓଷ୍ଠ ଦନ୍ତ ଜିହ୍ୱାରେ, ମୁର୍ଦ୍ଧୁନୀ କଣ୍ଠ ଦ୍ୱାରେ

ଓଝକରିଲେ ନ ମିଳେ ଅନ୍ତଆଦ୍ୟ । ୩ ।

 

ଓଘଗ୍ୟାନ ଭକ୍ତିରେ, ଜ୍ଞାତ ସ୍ୱାନୁଭବରେ

ତୁର୍ଯ୍ୟ ଅଲେଖ ବ୍ରହ୍ମ ବେଦାନ୍ତେ ସିଦ୍ଧ । ୪ ।

***

 

(ଔ)

 

ଔଚିତ୍ୟ ଅଟେ ଜୀବର ବ୍ରହ୍ମ ଭଗତି,

ଔତ୍ସୁକ୍ୟ ହୁଅ ଆତ୍ମାରେ ତେଜିଣ ଭୀତି । ଘୋଷା ।

 

ଔଦାର୍ଯ୍ୟ ହୃଦୟ କରି ଗୁରୁଭକ୍ତି ଅନୁସରି

ସାଧୁସଙ୍ଗେ ସେବାକର ପ୍ରାଣରପତି । ୧ ।

 

ଔରସ ହୋଇ ତାଙ୍କର ଜନ୍ମିଛିଏ ମର୍ତ୍ତ୍ୟପୁର,

ଦୁର୍ଲ୍ଲଭ ଶରୀରେ ଆଶ୍ରେ କର ଯେ ନିତି । ୨ ।

 

ଔଷଧ ନାମ ପିଉଷ ପାନ କର ହେ ବିଦୁଷ,

ଭବ ରୋଗ ହେବ ନାଶ, ଭଜ ସୁଚେତି । ୩ ।

 

ଔଦାସ୍ୟ ଭାବରେ ରହି ଉଚିତ ବାକ୍ୟ ଭାଷଇ,

ଦୟା କଲେ ଦୟାମୟ ପାଇବ ମୁକ୍ତି । ୪ ।

***

 

(କ)

 

କରୁଛି ବିନତି ଅଲେଖ ଅଜ୍ୟୋତି

କର କୃପା ମୋତେ ଏତେବେଳେ ।

କୃପା କଟାକ୍ଷରେ କିଞ୍ଚିତେ ଚାହିଁଲେ

କୋଟି ପାପ ନାଶ ଯିବ ଭଲେ । ଘୋଷା ।

 

କଟୁଭିଆଇଛି ତ୍ରିଗୁଣମାୟା, କି କରିବି ସ୍ୱାମୀ କର ସୁଦୟା

କାମ କ୍ରୋଧ ଲୋଭ ମୋହ ଆଦି, ସର୍ବ କର ନିବାରଣ ଆଜ୍ଞା ବଳେ । ୧ ।

 

କାହାଗେ କହିବି ଏ ମୋର ଦୁଃଖ, କେହି ନଦିଶନ୍ତି କଲେ ବିବେକ ।

କୋଣପ ଶରୀର କେଭେ ନୋହେ ଚିର, କେ ଅବା ରହିବ ରବିତଳେ । ୨ ।

 

କି ନାମ ଧରିଣ ଜପିବି ମନେ, କି ଅବା ଭାବିବି କୁହ ବହନେ ।

କି କର୍ମ କରିଲେ ପ୍ରାପ୍ତହେବି ନିଶ୍ଚେ, ଅଭୟ ଭୁବନ ମୋକ୍ଷଆଳେ । ୩ ।

 

କରି ନ ପାରୁଛି ବହୁ ଆପତ୍ତି, କିଞ୍ଚିତେ କହିଲି ଶୁଣ ଝଟତି ।

କରି ତବ ଦାସ କାଳାଜ୍ଞାନ ନାଶ, ସାଧୁସଙ୍ଗେ ରହି ନିତ୍ୟେଭାଳେ । ୪ ।

***

 

(ଖ)

 

କ୍ଷୀରସିନ୍ଧୁ ବାସୀ ବିଭୁ କ୍ଷିତିକି ବିଜୟେ କଲେ

ଖଣ୍ଡିଣ ପାପଭାରାକୁ ଅଧର୍ମକୁ ବିନାଶିଲେ । ଘୋଷା ।

 

ଖଟାଇବା ପାଇଁ ଜନ ଅଲେଖ ବ୍ରହ୍ମ ଚରଣ ।

ଖେଳ ଭିଆଇଣ ମର୍ତ୍ତ୍ୟେ ସତ୍ୟ ଧର୍ମକୁ ସ୍ଥାପିଲେ । ୧ ।

 

ଖଳବୁଦ୍ଧି ଛାଡ଼ି ଏବେ ଖଟ ସର୍ବେ ପାଦଯୁଗେ ।

ଖସୁଛି ସେ ପାଦୁ ସୁଧା ଅନୁସରି ପିଅ ଭଲେ । ୨ ।

 

ଖଣ୍ଡିତ ହେବ କଳୁଷ ଖଞ୍ଜ ନାମବ୍ରହ୍ମେ ଆଶ ।

ଖଣ୍ଡନ ହେବ ତ୍ରିତାପ କ୍ଷମାନନ୍ଦେ ନିମଜିଲେ । ୩ ।

 

ଖରାପ ପଣ ପାଶୋର ଖଣ୍ଟ ପ୍ରକୃତି ନିବାର ।

ଖଣ୍ଡିବେ ସର୍ବ ସଂଶୟ ଖ୍ୟାତ ନାମ ସୁମରିଲେ । ୪ ।

***

 

(ଗ)

 

ଗୁରୁବ୍ରହ୍ମ ମୂର୍ତ୍ତି ବିଜଏ ଧରତି

ଜ୍ଞାନଭକ୍ତିମୁକ୍ତିଦାତା ଅଟନ୍ତି ।

ଗୁପତ ଧନ କଲେ ପ୍ରଦାନ

ଗମି ନ ଥିଲେ କେ ଜନମି କ୍ଷିତି । ଘୋଷା ।

 

ଗତ ଜନ୍ମ ପୁଣ୍ୟ ଭାଗ୍ୟରେ ଅର୍ଜନ

ପ୍ରାପତ ହୁଅଇ ଗୁରୁ ମୂରତି ।

ଗୃହ ରତନ କଳତ୍ର ଧନ

ଗୁରୁବିନା ସର୍ବ ବ୍ୟର୍ଥ ଅଟନ୍ତି । ୧ ।

 

ଗୁରୁପାଦେ ସେବା ନ କରି ଯେ ଅବା

ଗମନ୍ତି ବିଷୟ ଗୋଚରେ ନିତି

ଗରବ ନାଶ ହୁଏ ଅବଶ୍ୟ

ଗଣ୍ଠିଧନ ସର୍ବ ବିଲୟ ଯାନ୍ତି । ୨ ।

 

ଗୁରୁଟି ଈଶ୍ୱର ଜଗତରେ ସାର

ଅସାର ଅଟଇ ଅନ୍ୟରେ ପ୍ରୀତି

 

 

ଗାରିମା ବହି ଅମାନ୍ୟ ହୋଇ

ଗଲେଣି ଧରାରେ ଅର୍ଜି ଅକୀର୍ତ୍ତି । ୩ ।

 

ଗୁରୁଆଜ୍ଞା ରଟ ଗହଣରେ ଖଟ

ଜନମ ଲଭିଛ ଯେ ଯତି ସତୀ

ଗଲେଟି ଦେହ ବାସ ଅଭୟ

ଗାଏ ସାଧୁସଙ୍ଗେ ଗୁରୁଙ୍କୁ ଚିନ୍ତି । ୪ ।

***

 

(ଘ)

 

ଘଟେ ଘଟେ ପୂର୍ଣ୍ଣ ପରଂବ୍ରହ୍ମ ପୂରି ରହିଛି

ଘୋଷ ନିତ୍ୟରେ ଅନୁଭବରେ ଘଟଣ ପୁରୁଷ ନିର୍ଲିପ୍ତେ ଅଛି ।

ଘନେ ବିଦ୍ୟୁପ୍ରାୟ ଦିଶୁଛି । ଘୋଷା ।

 

ଘୂମ ନାହିଁ ମାୟାରେ ପଡ଼ି ମୋହ ଛନ୍ଦରେ

ଘଣ୍ଟା ସ୍ୱନ ମଧ୍ୟରେ ଅନହତ ଧ୍ୱନିରେ

ଘୁ ଘୁ ନାଦେ ଆକାଶ ମଣ୍ଡଳ କମ୍ପିଯାଉଛି । ୧ ।

 

ଘନ ମୃଦଙ୍ଗ ଭେରୀ ବେଣୁ ବୀଣା ଖଞ୍ଜରୀ

ସପ୍ତ ସ୍ୱରରେ ପୂରି       ବାଜେ ଦିବା ଶର୍ବରୀ,

ଘେନି ବ୍ରହ୍ମମନ୍ତ୍ର ଶ୍ରୁତ ବେନି କର୍ଣ୍ଣେ ଶୁଭୁଛି । ୨ ।

 

ଘୋଟିଛି ନୟନରେ ଲିପ୍ତ ନୋହି ତହିଁରେ

ଦୃଶ୍ୟତାଙ୍କ ଆଭାରେ ସର୍ବ ଜୀବ ଜନ୍ତୁରେ

ଘୂରି ମର ନାହିଁ ଜ୍ଞାନନେତ୍ରେ ଦିଶୁଅଛି । ୩ ।

 

ଘାଟ ନାସା ରନ୍ଧ୍ରରେ ତ୍ରିକୁଟର ମଧ୍ୟରେ,

ଘୋଷ ଗୁରୁ ସୂତ୍ରରେ ଅଜପାର ମନ୍ତ୍ରରେ,

ଘୁଞ୍ଚିଯିବ ଭବଭୟ ସତ୍ୟ ବାକ୍ୟ କହୁଛି । ୪ ।

 

(ଙ)

 

ଙ ଅକ୍ଷରେ ପଦ ନୋହେ ବର୍ଣ୍ଣିତ,

ଉଭା ହୋଇ ଛାମୁରେ କରେ ବିନୀତ ଯେ,

ଅଲେଖ ବ୍ରହ୍ମ,

ଅଚଳା ଭକ୍ତି ତବ କର ପ୍ରଦାନ ଯେ । ୧ ।

 

ଅନୁସନ୍ଧାନ କରି ନୋହେ ମହିମା,

ଅନନ୍ତ ନାମ ତେଣୁ ଲିହିଛି ବ୍ରହ୍ମା ଯେ,

ଅରୂପାନନ୍ଦ,

ଅନହତବିହରୀ ନିର୍ଗୁଣ ପଦ ଯେ । ୨ ।

 

ଅଧଃ ଉର୍ଦ୍ଧ୍ୱ ମଧ୍ୟରେ ପୂରି ରହିଛ,

ଅବସ୍ଥା କ୍ରୟ ମଧ୍ୟୁ ବିଲଗେ ଅଛ ଯେ,

ଅଖଣ୍ଡ ମୂର୍ତ୍ତି,

ଅଣ ବିଚାରେ କରି ନୋହେ ଭଗତିଯେ । ୩ ।

 

ଅନୁକମ୍ପା ବହିଣ କର ପ୍ରଦାନ,

ଅଭୟ ପାଦେ ସଦା ରହୁ ଶରଣ ଯେ,

 

 

ଅବ୍ୟୟ ଜ୍ୟୋତି,

ତବ ଛାମୁରେ ଏହି ପ୍ରାର୍ଥନା ନିତି । ୪ ।

***

 

(ଚ)

 

ଚିଦାତ୍ମାକୁ ଚିତ୍ତେ ସଦା କର ଚିନ୍ତନ ଯେ

ଚିତ୍ତୁ ମାଳିନ୍ୟ ତେବେ ହେବ ଦହନ ଯେ । ଘୋଷା ।

 

ଚତୁର ବୁଦ୍ଧିରେ ଚିର ବିଶ୍ୱାସରେ

ଚରମାବସ୍ଥା ଯାଏ କର ଭାବନ ଯେ । ୧ ।

 

ଚତୁର୍ଥ ବିଦ୍ଧରେ ସ୍ଥଳଶରୀରରେ

ଚଉଦ ଭୁବନେ ହୋଇଛନ୍ତି ଜୀବନ ଯେ । ୨ ।

 

ଚୈତନ୍ୟ ସ୍ୱରୂପେ ଛନ୍ତି ସର୍ବଭୂତେ,

ଚକ୍ର ଛଡ଼ ଉପରେ ତାଙ୍କ ଆସନ ଯେ । ୩ ।

 

ଚିହ୍ନ ସ୍ୱଦେହରେ ଚକ୍ର ଭେଦାନ୍ତରେ

ଚପଳ ତ୍ୟାଗ କରି କର ଭଜନ ଯେ । ୪ ।

***

 

(ଛ)

 

ଛନ୍ଦ ପ୍ରେମଭକ୍ତି ବିଭୁ ପୟରେ ଛାର ବିଷୟା ତେଜି,

ଛେଦ କାମ କଳ୍ପନା ମୋହମାୟା ଛଡ଼ରିପୁମାନ ବର୍ଜ୍ଜି । ଘୋଷା ।

 

ଛନ୍ଦ କପଟରେ ନୁହନ୍ତି ବଶ, ଛାଡ଼ ମନୁସର୍ବ ବିଷୟା ପାଶ,

ଛପନ କୋଟି ଜୀବର ପଢ଼ିଛନ୍ତି ଦେହରେ ବିରାଜି । ୧ ।

 

ଛଡ଼ ବ୍ରହ୍ମବାସୀ ଯହିଁ ଖଟନ୍ତି; ଛନ ଛନ ମନେ ଦୃଶ୍ୟକି ହ୍ୱନ୍ତି,

ଛନକାବୁଦ୍ଧି ହୃଦରୁ ତେଜି ସ୍ୱଚ୍ଛନ୍ଦେ ବ ହ୍ୱେ ନିମଜି । ୨ ।

 

ଛଦ୍ମ ବେଶସର୍ବ ତେଜ ତୁରିତ, ଛଡ଼ ସମ୍ପଦରେ ହୁଅ ଭୂଷିତ;

ଛବି ନଟରେ ନଭ୍ରମିବାରେ ଶାଶ୍ୱତେ ଲଗାଅ ରଜି । ୩ ।

 

ଛିନ୍ନ ହେବ ଅଜ୍ଞାନ ମୋହ ଜାଲ ଛାନ୍ଦକର ନାମ ପରମାତ୍ମାର,

ଛଇଳ ମୂର୍ତ୍ତି ତାହାଙ୍କ ଜ୍ୟୋତି ଛିଡ଼ାହୋଇ କହେ ହେଜି,

ମନୁ ବିଷୟ ବାସନା ତେଜି, ରୁହ ଅବ୍ୟକ୍ତ ବ୍ରହ୍ମେ ନିମଜି । ୪ ।

***

 

(ଜ)

 

ଜୀବ ଜୀବନ ଅଟନ୍ତି ପରଂବ୍ରହ୍ମ,

ଜାଗ୍ରତେ ନିତି ବ୍ରହ୍ମେ ଭଗତି,

ଜୀବିକା କରି ଅନ୍ତରେ ହୁଅ ପ୍ରେମ । ଘୋଷା ।

 

ଜନ୍ମ ମୃତ୍ୟୁର ଦୁଃଖ ଅପାର,

ଜରାୟୁ ଭୟ ହୋଇବ ବିନାଶନ । ୧ ।

 

ଜାୟା ସମ୍ପତ୍ତି ଯେତେ ଅଛନ୍ତି,

ଜୀର୍ଣ୍ଣ ଏ ନିଶ୍ଚେ ହୁଅଇ କାଳାନ୍ତେଣ । ୨ ।

 

ଜଞ୍ଜାଳ ଜାଲ ଏହୁ ସକଳ,

ଜୟ ଯେ କରେ ସେ ଲଭେ ଆତ୍ମାଜ୍ଞାନ । ୩ ।

 

ଜଗତେ ସାର ବିଭୁ ପୟର,

ଜାଣିଣ ସତ୍ୟବାକ୍ୟ କରେ ବଖାଣ । ୪ ।

***

 

(ଝ)

 

ରାଗ କଳହଂସ କେଦାର ।

ଝଟତି ପ୍ରଭୁ ପାଦେ କର ଗୁହାରି ।

ଝାମ ମାୟା ବନରୁ ନେବେ ଉଦ୍ଧରି ଯେ

ଝଗଡ଼ା ଛାଡ଼ି ନିତ୍ୟେ କର ଭାବନା ।

ଝୁର ତାଙ୍କ ନାମରେ ତେଜି କଳ୍ପଣା । ୧ ।

 

ଝଟକ ବିଦ୍ୟୁପ୍ରାୟ ବ୍ରହ୍ମ ଅମାପ

ଝଳି ଦିଶେ ସଚ୍ଚିଦାନନ୍ଦ ସ୍ୱରୂପ ଯେ,

ଝରେ ସେ ପାଦୁ ସୁଧା କର ଅପ୍ୟାନ,

ଝସାଅ ମନପ୍ରାଣ ରଖି ଶରଣ ଯେ । ୨ ।

 

ଝାଡ଼ ବିଷୟା ବିଷ ବିଶ୍ୱ ଅଟେ ଜଞ୍ଜାଳ,

ଝଞ୍ଜାଳ ପ୍ରାଏ ସଦା ଉଠେ ଚହଳ ଯେ

ଝପାଇ ପ୍ରବେଶ ହୁଅ ସାଧୁ ସଙ୍ଗମେ,

ମିଳନ କର ସଦା ଜୀବପରମେ ଯେ । ୩ ।

 

ଝର ନିର୍ଝର କନ୍ଦୁ ବହି ଆସୁଛି,

ଝରି ତ୍ରିବେଣୀ ମଧ୍ୟେ ବିରାଜିଅଛି ଯେ,

ଝଡ଼ିବ ତ୍ରୟ ତାପ କଲେ ସ୍ନାହାନ,

ଯୋଗୀଜନେ କରନ୍ତି ଏହି ଭାବନ ଯେ । ୪ ।

***

 

(ଞ)

 

ନିରଞ୍ଜନକୁ ନିର୍ବିକଳ୍ପ ମହିମାକୁ,

ନିରବଧି ନିଷ୍ଠା ଚିତ୍ତେ ଆଶ୍ରେକର ସେ ପାଦକୁ । ଘୋଷା ।

 

ନିର୍ଗୁଣ ପଦ ନିର୍ମୋହ ସଦା ଆନନ୍ଦ,

ନିରାମୟ ନିରାଭାକ୍ଷ ନିଗୂଢ଼ ସତ୍ୟ ଧର୍ମକୁ । ୧ ।

 

ନିତ୍ୟଶ ଶ୍ଚତ ନିଷ୍କାମ ପୂର୍ଣ୍ଣ ଅଦ୍ୱୈତ,

ନିରାଲମ୍ବ ସଦାମୁକ୍ତ ସଚ୍ଚିଦାନନ୍ଦରୂପକୁ । ୨ ।

 

ନାଶ ରହିତ ନିଷ୍ପାପ ଅଚଳାମୃତ ।

ନିର୍ବିକାର ଅନହତ ନିଃଶବ୍ଦ ଶୂନ୍ୟ ବ୍ରହ୍ମକୁ । ୩ ।

 

ନୁହନ୍ତି ଦୃଶ୍ୟ ନୟନେ ମନେ ବା କିସ,

ନିର୍ମଳ ଚିତ୍ତେ ପ୍ରକାଶ ଜ୍ଞାନୀ ଜନେ ଭାବ ତାଙ୍କୁ । ୪ ।

***

 

(ଟ)

 

ଟେକ ସୁଜନ ଟାଣ ମହିମା ଅଲେଖ ଗୁରୁ ବ୍ରହ୍ମନାମ । ଘୋଷା ।

 

ଟେକି ଭଜ ଅବ୍ୟୟ ଅମୂର୍ତ୍ତ ଅଟଳ ଭାବରେ ରଖି ମତି,

ଟାକି ରହିଲେ ତେଜିଣ ଭୀତି,

ନିଶ୍ଚେ ପ୍ରାପତ ହୋଇବ ନିତ୍ୟ ମୋକ୍ଷଧାମ । ୧ ।

 

ଟଳି ନ ଯିବ କାମ ପାଶକୁ ଟାହି ହାସ୍ୟାଦି ତେଜି ଦୂରକୁ

ଟକ କର ଅନାମ ନାମକୁ

କଣ୍ଟ କଳେବର ତ୍ୟାଗ ଯାଏ ସ୍ଥିର ମନ । ୨ ।

 

ଟେହି ଦିଅନ୍ତି ଯେ ଷଡ଼ରିପୁ ଟାସରା କରନ୍ତି ହରିବପୁ,

ଟାପରା ନ ଭାବି ମନେ ହେଜ,

ଟାଳି ଅଜ୍ଞାନ ନିଦ୍ରାକୁ ହୁଅ ଜାଗରଣ । ୩ ।

 

ଟମକ ବାଜଇ ଶ୍ରୁତିପକ୍ଷ, ଟୋପି କର ଶିରେ ଗୁରୁବାକ୍ୟ,

ଟାଣି ଅନୁଭବ ସୂତ୍ରେ ରଖ,

ଟାକି ଯତି ବେଶେ କହେ କରି ବିଚାରଣ । ୪ ।

***

 

(ଠ)

 

ଠୁଳ ଶିଖରେ ବ୍ରହ୍ମ ବିରାଜ ହେ ଠାବ କର ସଯତନେ

ତେଜି କୁକାର୍ଯ୍ୟ । ଘୋଷା ।

 

ଠାକୁର ସେହି ମହିମା ସାଇଁ, ଠକ ନ ଭାବ ସେ ସତ୍ୟ,

ପ୍ରାଣର ରାଜ । ୧ ।

 

ଠିକ ବଚନ ଏ ବୁଦ୍ଧି ମନ, ଠଉରୁଛନ୍ତି ଆତ୍ମାର

ପ୍ରାପତ ତେଜ । ୨ ।

 

ଠଣ ମୂରତି ସେ ଶୂନ୍ୟ ଜ୍ୟୋତି, ଠିକଣାରେ ଭଜ ସର୍ବେ

ସେ ପାଦାମ୍ବୁଜ । ୩ ।

 

ଠାର ବଚନ ନବୁଝ ଆନ, ଠେକ ଦିବସ ରଜନୀ,

ପ୍ରଭୁ ପାଦାବ୍‍ଜ । ୪ ।

***

 

(ଡ)

 

ଡୋଳା ଊର୍ଦ୍ଧ୍ୱ ଶୂନ୍ୟ ଶୂନ୍ୟ ମଧ୍ୟକୁ ହେ,

ଡେରି ଦୃଷ୍ଟି ଦିଅ ସେହି ସ୍ଥାନକୁ । ଘୋଷା ।

 

ଡାକ ମହିମା ଅଲେଖ ବ୍ରହ୍ମକୁ,

ଡର ନାହିଁ ଏ ମିଥ୍ୟା ସଂସାରକୁ,

ଡୋରି ପ୍ରେମ ଭକ୍ତିରେ ବିଭୁଙ୍କୁ ହେ

ଛନ୍ଦିଣ ତାହାଙ୍କ ପାଦପଦ୍ମକୁ । ୧ ।

 

ଡକାଇତ ବୁଦ୍ଧି ତେଜି ଦୂରକୁ

ଡିଙ୍ଗର ଅଜ୍ଞାନ ମୋହ ମଦକୁ

ଡକାକର ଅନାମ ନାମକୁ ହେ

ଡେଇଁଯିବ ଏ ଭବ ବନ୍ଧନକୁ । ୨ ।

 

ଡଗର ପଣେ ଶ୍ରୀଗୁରୁ ଆଜ୍ଞାକୁ,

ମାନ ଚଳିଲେ ସତ୍ୟାଦି ପଥକୁ,

ଡୁବଯାଇ ବ୍ରହ୍ମ ସାଗରକୁ ହେ

ପ୍ରାପ୍ତ ହୋଇବ ଅମୂଲ୍ୟ ନିଧିକୁ । ୩ ।

 

 

 

ଡିଣ୍ଡିମ ଧ୍ୱନି ଶ୍ରୁତିର ବାକ୍ୟକୁ,

ଅନୁଭବରେ ବୁଝିଣ ତାହାକୁ,

ଡେରା କର ନିଃଶବ୍ଦ ପୁରକୁ ହେ

ପ୍ରବେଶିବ ଦେହାନ୍ତରେ ତହିଁକୁ । ୪ ।

***

 

(ଢ)

 

ଢକା ବାଜୁଅଛି ଶୂନ୍ୟେ ଢାଙ୍କୁଣି ଭେଦି ଶୁଭୁଛି

ଢଳି ନ ପଡ଼ିଣ ମୋହେ ଚିହ୍ନି ଧର ଶବ୍ଦ ବାଛି । ଘୋଷା ।

 

ଢମ ଏ ମାୟା ସଂସାର ଶରୀର କ୍ଷଣ ଭଙ୍ଗୁର,

ଢାଙ୍କି ରହିଛି ଅଜ୍ଞାନ ଚରାଚର କୀଟ ମାଛି । ୧ ।

 

ଢଳ ଢଳ ପ୍ରାୟେ ଦେହୀ ଦେହ ମଧ୍ୟେ ବିଶ୍ରାମଇ;

ଢାଉରଙ୍କେ ନୁହ ବାଇ ବ୍ରହ୍ମ ସର୍ବତ୍ର ବ୍ୟାପିଛି । ୨ ।

 

ଢମାଳିଅ ବାକ୍ୟ ତେଜ ଅବ୍ୟକ୍ତ ବ୍ରହ୍ମେନିମଜ,

ଢେଉ ଭବ ସାଗରରେ ଭାସି ନ ଯାଅ କହୁଛି । ୩ ।

 

ଢଳୁ ନାହିଁ ଅଜ୍ଞାନରେ ଚେତ ବିଜ୍ଞାନ ମାର୍ଗରେ,

ଢୌକନ ପ୍ରାଣ ବ୍ରହ୍ମରେ ଆଦ୍ୟକାଳୁ ସମର୍ପିଛି । ୪ ।

***

 

(ଣ)

 

ତାଳଝୁଲା - ରାଗଁଇମନ୍‌

ମୂର୍ଦ୍ଧନୀ ଶିଖରେ ବିହାର ଅଣାକ୍ଷରେ

ଅଣରୂପ ପୂର୍ଣ୍ଣବ୍ରହ୍ମ ବିଜେ ସେ ଠାବରେ ।

ଅବସ୍ଥା ଭେଦରେ ଆଭା ସ୍ଥାନାନ୍ତରେ

ଅରୂପ ରୂପନାମ ବହେ ଉପାଧିରେ । ଘୋଷା ।

 

ଅଣକ୍ଷରରୁ କ୍ଷର ଜାଗ୍ରତରେ ବିହାର

ନୟନେ ଆତ୍ମା ବିଶ୍ୱନାମ ବହେ ଧୀରେ । ୧ ।

 

ଅବସ୍ଥା ସ୍ୱପ୍ନରେ ଶରୀର ସୂକ୍ଷ୍ମରେ

ଆତ୍ମା ତୈଜସ ନାମେ ବସଇ କଣ୍ଠରେ । ୨ ।

 

ଅଜ୍ଞାନ ସୁସୁପ୍ତି କାରଣରେ ସଂସ୍ଥିତି

ଅଣୁମୟ ପ୍ରାଜ୍ଞ ଆତ୍ମା ସ୍ଥିର ହୃଦୟରେ । ୩ ।

 

ଅବସ୍ଥା ତୁରୀୟେ ଅକ୍ଷର ବ୍ରହ୍ମରେ

ନିତ୍ୟ ସ୍ୱରୂପ ଆତ୍ମା ରହଇ ମୂର୍ଦ୍ଧାରେ । ୪ ।

***

 

(ପ)

 

ଅଲେଖ ଅରୂପ ପରମ ନିର୍ଗୁଣ

ଆତ୍ମା ଚୈତନ୍ୟରୁ ସମସ୍ତେ ଉତ୍ପନ୍ନ,

ଅବିଦ୍ୟା ବିଦ୍ୟାଏ ତ୍ରିଗୁଣ ମାୟାରେ

ବେନି ମାର୍ଗହୋଇ ସମଷ୍ଟି ବେଷ୍ଟିରେ,

ତେଣୁ ଜୀବ ଈଶ୍ୱର ହୋଇଛେ ଭେଦରେ

***

 

(ତ)

 

ତତ୍ତ୍ୱ ପଦ କର ଆଲୋଚନ ଆହେ ମୁମୁକ୍ଷୁ ଗଣ

ତଦନ୍ତ କରିଣ ବ୍ରହ୍ମ ଜ୍ଞାନୀଜନ;

ତ୍ୟାଗ ବିଷୟେ ଯେ ଥିବେ ସମ୍ପନ୍ନ

ତାହାଙ୍କ ପୟରେ ସେବ ନିରନ୍ତରେ

ତୁଟିବ ହୃଦର ସଂଶୟ ମାନ । ଘୋଷା ।

 

ତର୍କକୁଶାସ୍ତ୍ରାଦି ତେଜି ବେଦାନ୍ତ ବାକ୍ୟରେ ମଜି,

ତଥ୍ୟ କରିଣ ସୁଅନୁଭବରେ

ତୁରିତେ ଗୁରୁଙ୍କୁ କରି ଜଣାଣ । ୧ ।

 

ତନୁ ମନ ବାକ୍ୟ ଘେନି, ବିହର ଦିବା ରଜନୀ

ତ୍ରିପାଦ ଊର୍ଦ୍ଧ୍ୱରେ ପରମ ଆତ୍ମାରେ

ସାଧୁଙ୍କ ସଙ୍ଗେ କରି ବିଚାରଣ । ୨ ।

 

ତ୍ରୟ ତାପ ନାଶ ଯିବ ତ୍ରିଗୁଣରୁ ଉଦ୍ଧରିବ

ତାମସ ଅଜ୍ଞାନ ହୋଇବ ଛେଦନ

ଆତ୍ମାକୁ ଆତ୍ମାରେ କରିଲେ ଲୀନ । ୩ ।

 

 

 

ତରିବା ଉପାୟ ଏହି ଭକ୍ତିବିନା ଗତି ନାହିଁ

ତରସ୍ୱୀ ହୋଇଣ ନୀତି ପ୍ରତି ଭାଳେ

ତୁରୀୟ ବ୍ରହ୍ମରେ ପଶ ଶରଣ । ୪ ।

***

 

(ଥ)

 

ଥୟଚିତ୍ତେ ବିଭୂପାଦେ ଭଜ ବିଜ୍ଞ ମତିରେ,

ଥର ଥର ନ କରିଣ ଇନ୍ଦ୍ରିୟ ପୁଞ୍ଜକୁରେ । ଘୋଷା ।

 

ଥିବାଯାଏ ଦେହେ ପ୍ରାଣ ସୁସତ୍ୟ ଧର୍ମକୁରେ,

ଥାଅ ଦୃଢ଼ବନ୍ଧେ ଧରି ନଷ୍କାମ ପ୍ରେମକୁରେ । ୧ ।

 

ଥୋକାଏ ଦିନ ରହିବ ପଞ୍ଚଭୂତ ଘଟରେ;

ଥଟାଗର୍ବେ ନଭୁଲିଣାନ ବୋଲ ମୋହରିରେ । ୨ ।

 

ଥାନି ହୋଇ କେହି ରହିନାହିଁ ମର୍ତ୍ତ୍ୟପୁରରେ;

ଥାନ ତେଜି ଚଳିଯାନ୍ତି ଯେ କର୍ମ ବିଭାଗରେ । ୩ ।

 

ଥରେ ପ୍ରାଣର ପତିକି ଚିହ୍ନ ଜ୍ଞାନାଲୋକରେ

ଥକା ନ ଲାଗିବ ଆଉ ଗାଏ ଧ୍ରୁବ ବାକ୍ୟରେ । ୪ ।

***

 

(ଦ)

 

ତାଳ-ଏକତାଳି

ଦୀକ୍ଷା ଘେନି ଭଜ ଅନାମ ତେଜି କାମ, ନୋହି ଭ୍ରମ

ଦନୁଜପ୍ରକୃତି ନିବାରିଣ । ଘୋଷା ।

 

ଦୈବୀ ପ୍ରକୃତି ଆଶ୍ରୟ ନିତି

ବିଚାର କାହୁଁ ଜନ୍ମିଲ କ୍ଷିତି,

ଦେହ ବା କାହାର ଇନ୍ଦ୍ରିୟଗଣର

କେଉଁଠାରୁ ଉତପନ୍ନ । ୧ ।

 

ଦ୍ୟୁତକ୍ରୀଡ଼ାରେ ବୃଥା ଖେଳରେ

ନ ଯାଅ ଭ୍ରମି, ମତ୍ତ ଭୋଳରେ,

ଦେଖ ଏ ଅଙ୍ଗର ପ୍ରାଣ ଆଦୀଶ୍ୱର

କିଏ ୟାର ଉପାଦାନ । ୨ ।

 

ଦୁର୍ବୃତ୍ତ ତେଜ ସତ୍ସଙ୍ଗେ ମଜ,

ଦୁର୍ଲ୍ଲଭ ଆତ୍ମାଜ୍ଞାନ ଅରଜ,

ଦୁଷ୍ଟ କାଳଫାଶ ଦୁଃଖ ହେବ ନାଶ

ସୁଖେ ପ୍ରାପ୍ତ ବ୍ରହ୍ମଜ୍ଞାନ । ୩ ।

 

ଦୁଇଟି ପକ୍ଷୀ ଏ ଘଟେ ଛନ୍ତି

ଏକହିଁ ଜୀବ ଏକ ପରମ.

ଦିବା ରାତ୍ର ଘୋଷ ଅଜପା ସେ ହଂସ

ଯିବ ନିଶ୍ଚେ ମୋକ୍ଷଧାମ ।

ଆଉ ନୋହିବ ମୃତ୍ୟୁ ଜନମ;

ଭବ ଦୁଃଖ ହେବ ବିନାଶନ । ୪ ।

***

 

(ଧ)

 

ତାଳ - ସରିମାନ, ରାଗ - ବେହାର

 

ଧର ଏବେ ସତ୍ୟଧର୍ମ ଉଦେ ହୋଇଅଛି,

ଧନ୍ଦି ନୁହ ମାୟାବଳେ ଜୀବନ ସରୁଅଛି । ଘୋଷା ।

 

ଧର୍ମ ଅବତାର ଗୁରୁ ମହାନିତ୍ୟ ଭୁବନରୁ,

ଧରଣୀରେ ବିଜେ ହୋଇ ମହିମା ପ୍ରକାଶୁଛି । ୧ ।

 

ଧରିଣ ସନ୍ନ୍ୟାସ ବେଶ ନାଶି କଳିର କଳ୍ମଷ;

ଧାରଣା କଲେ ବିକାଶ ବେଦର ସାର ବାଛି । ୨ ।

 

ଧନ୍ୟ ବ୍ରହ୍ମ ମନ୍ତ୍ର ଦୀକ୍ଷା ସାଧୁଜନେ ଦେଲେ ଶିକ୍ଷା

ଧର୍ମବନ୍ତ ପ୍ରାଣୀମାନେ ଗ୍ରହଣ କରିଲେ କିଛି । ୩ ।

 

ଧୂର୍ତ୍ତ ପାଷଣ୍ଡ ଯେ ଜନ କଲେ ଏ ଧର୍ମ ଅମାନ୍ୟ,

ଧ୍ୟାୟୀ ଅଭୟ ପୟର ସତ୍ୟବାକ୍ୟ କହୁଛି । ୪ ।

***

 

(ନ)

 

ରାଗ - ଛୟନଟ କଓ୍ୟାଲୀ

 

ନ କର ନ କର ଆହେ ସୁଜ୍ଞଜନ ଅନ୍ୟ ଦେବତା ଅର୍ଚ୍ଚନ,

ନ ଭଜି ପ୍ରଭୁଙ୍କୁ ବୃଥାରେ ଭ୍ରମିଲେ, ଅକାରଣ ହୁଏ ଜୀବନ । ଘୋଷା ।

 

ନ ପୂଜ ସାକାର ବିଷ୍ଣୁ ବା ଶଙ୍କର

ବ୍ରହ୍ମାସହ ଯେତେ ଦେବ ଦେବୀମାନ,

ନୁହେ ଭବୁ ପାର ପୂଜିଲେ ଆକାର,

ଅଣାକାରେ ପଶ ଶରଣ । ୧ ।

 

ନ ଯା ଗୟା ତୀର୍ଥ କାଶୀ ପୁରୀକ୍ଷେତ୍ର,

ଆଉ ଯେତେ ଜଡ଼ ମୂର୍ତ୍ତିପୂଜା ସ୍ଥାନ,

ନ ରସ ତହିଁରେ ଲୋକ ପ୍ରବାଦରେ,

ସେ ସର୍ବ ଅଟଇ ଭୁଲାଣ । ୨ ।

 

ନ ଭୁଞ୍ଜ ରାତ୍ରର ଚତୁର୍ବିଧାହାର

ନ କର ତୁଳସୀ ସ୍ପର୍ଶନ ସେବନ,

ନୋହି ଲୋଭବଶ ଜୀବକୁ ନ ହିଂସ

ଅହିଂସାକୁ କରି ପାଳନ । ୩ ।

 

ନିଶ୍ଚଳ ମନରେ ସୁପ୍ରେମ ଆତ୍ମାରେ,

ସୁଖାସନେ କର ପରମାତ୍ମା ଧ୍ୟାନ;

ନିର୍ଣ୍ଣୟ ବୁଝିଲେ ବ୍ରହ୍ମକୁ ଲଭିବ;

ସଦା ହୁଅ ପ୍ରଭୁ ଅଧୀନ । ୪ ।

***

 

(ପ)

 

ଏକତାଳି

 

ପ୍ରଭୁ ପାଦର, ଶରଣ ପଶ ସତ୍ୱର;

ପ୍ରତିଦିନ ପ୍ରାତଃ ସାୟେଂ, ଚେତି ବ୍ରାହ୍ମ ମୁହୂର୍ତ୍ତର । ଘୋଷା ।

 

ପ୍ରୀତି ସହିତ ପ୍ରଭାତୁ ଉଠି ନିରତ,

ପବିତ୍ର ଜଳେ ଶୋଧିତ, ପ୍ରତ୍ୟଙ୍ଗ ଅଙ୍ଗ ଶରୀର । ୧ ।

 

ପୂର୍ବାଭିମୁଖେ, ଉଭା ହୋଇ ଆତ୍ମା ସୁଖେ;

ପରିଷ୍କୃତ ଶୁଦ୍ଧ ସ୍ଥାନେ, ସାଷ୍ଟାଙ୍ଗେ ନମି ଭୂମିର । ୨ ।

 

ପରଂବ୍ରହ୍ମଙ୍କୁ, ଜଣାଇ ସର୍ବ ତାହାଙ୍କୁ;

ପଢ଼ି ଗୁରୁବାକ୍ୟ ସ୍ତୋତ୍ର, ପ୍ରଣାମ ଯେ ସପ୍ତବାର । ୩ ।

 

ପ୍ରାନ୍ତ ସମୟେ, ପଞ୍ଚବାର ସବିନୟେ;

ପଶ୍ଚିମେ କର ଦର୍ଶନ, ମହିଁମାଙ୍କର ଏ ଗୀର । ୪ ।

***

 

(ଫ)

 

ଫନ୍ଦା କର ବିଭ ନାମ ନିରନ୍ତର,

ଫାନ୍ଦ ମାୟାରୁ ହେବ ପାରି । ଘୋଷା ।

 

ଫୁରୁଣାରେ ଭଜ ଶ୍ରୀଗୁରୁଦେବ,

ମନରୁ ତେଜି କୁବାସନା ସର୍ବ;

ଫୁଲ ପରି ସତ ଶାନ୍ତି ଦୟା କ୍ଷମା,

ମାଳକର ହୃଦୟ ପୁରୀ । ୧ ।

 

ଫଳ ଶ୍ରୁତିରେ ନୋହିଣ ମୋହିତ,

ଶ୍ରଦ୍ଧା ଭଗତିରେ ହୁଅ ଭୂଷିତ;

ଫଳାଫଳ ସର୍ବ ଅର୍ପିଣ ବ୍ରହ୍ମରେ,

ରୁହ ଉଦାସ ମତ ଧରି । ୨ ।

 

ଫେଡ଼ିବ ପୂର୍ବର ଦୂର୍ଦ୍ଦଶାମାନ,

ଅଣ ସାଧନାରେ କର ଭଜନ;

ଫେରି ନ ଆସିବ ଏ ମର୍ତ୍ତ୍ୟମଣ୍ଡଳେ,

ଯିବ ନିଶ୍ଚେ ଅଭୟ ପୂରି । ୩ ।

 

 

 

ଫେନ ପ୍ରାୟେ କ୍ଷଣସ୍ଥାୟୀ ଶରୀର,

ଏ ଦୃଶ୍ୟ ବସ୍ତୁକୁ ନ ବୋଲ ମୋର,

ଫିଟିବ ବନ୍ଧନ ନିର୍ଗୁଣ ରଟନେ,

କହେ ପୂର୍ବ ହେତୁ ସୁମରି । ୪ ।

***

 

(ବ)

 

ଆଦିତାଳ, ରାଗ - କୌମୁଦୀ

 

ବହି ଏ ଦୁର୍ଲ୍ଲଭ ତନୂ,

ବ୍ରହ୍ମେ ଭଗତି ନ କରି ବୃଥା କିପାଁଇ ଭ୍ରମୁ । ଘୋଷା ।

 

ବହୁ ବିଧରେ ଉପଭୋଗରେ,

ବାତୁଳ ହୋଇ ତହିଁରେ ସଦଗୁରୁଙ୍କୁ ନ ଚିହ୍ନୁ । ୧ ।

 

ବୋଧ ନ କଲେ ବିଚାରି ଭଲେ,

ବଳି ଯାଉଛି ଆୟୁଷ କି କରିବ ଦିନୁ ଦିନୁ । ୨ ।

 

ବାଳିଶ ଭାବେ ନ ବୁଝ ଗର୍ବେ,

ବୁଦ୍ଧ ଅବତାର ପ୍ରଭୁ ହୋଇ ଅଛନ୍ତି ଯେ ଶୂନ୍ୟୁ । ୩ ।

 

ବାଦରାୟଣ ଯେ ମୁନିଗଣ,

ବୋଲିଛନ୍ତି ଏ ବଚନ ସ୍ଥିରଭାବେ କହେ ତେଣୁ । ୪ ।

***

 

(ଭ)

 

ଆଦିତାଳ ରାଗ – ହିନ୍ଦୁସ୍ଥାନୀ

 

ଭକ୍ତିକର ଶୁଦ୍ଧ ଚିତ୍ତେ ଭବଭୟ ହାରି

ଅଲେଖ ବ୍ରହ୍ମେ ନିତ୍ୟେ । ଘୋଷା ।

 

ଭ୍ରମହେବ ନାଶ ଘୋଷ ଅହର୍ନିଶ,

ଭରସା କରିଣ ଅନାମ ଅଜପା ଗୁରୁ ସୂତ୍ରେ । ୧ ।

 

ଭେଦଜ୍ଞାନ ତେଜ ଅଭେଦରେ ମଜ

ଭ୍ରଷ୍ଟ ନ ହୋଇ କଦାଚ କୁସଙ୍ଗର କୁଚରିତ୍ରେ । ୨ ।

 

ଭର୍ତ୍ତା ପିତା ମାତା ଗୁରୁପ୍ରାଣ ଦାତା

ଭବନ ଅଟେ ଯାହାର ଶୂନ୍ୟ ଊର୍ଦ୍ଧ୍ୱ ଗତେ । ୩ ।

 

ଭାବ ସତତରେ ପ୍ରାଣ ଉତ୍କଣ୍ଠାରେ

ଭାବି ବିଭୁଙ୍କୁ କହୁଛି ପଡ଼ିଣ ମୁଁ ଅଣାୟତ୍ତେ । ୪ ।

***

 

(ମ)

 

ମହିମା ଧର୍ମ ଉଦେକଲେ ରବିତଳରେ ମହାସୁନିତ୍ୟର

ବିଜଏ ଶ୍ରୀଗୁରୁ, ପ୍ରକାଶ ପ୍ରବୁଦ୍ଧ ରୂପରେ । ଘୋଷା ।

 

ମହତ୍ତ୍ୱ ସୁ ଗୁଣ, ବହିଣ ସମ୍ପୂର୍ଣ୍ଣ ।

ମୁଖ୍ୟେ ଦୀକ୍ଷା ଦେଲେ ସ୍ଥିରେ । ୧ ।

 

ମୁମୂକ୍ଷାଦିଗଣ କରି ତା ଗ୍ରହଣ

ମୁକ୍ତ ହେଲେ ଦେହାନ୍ତରେ । ୨ ।

 

ମୁଢ଼ ଯେ ଅଜ୍ଞାନୀ ନ ଚିହ୍ନିଣ ସ୍ୱାମୀ

ମୁଗ୍ଧ ବିଷୟ ଭୋଳରେ । ୩ ।

 

ମୃତ୍ୟୁ ମଣ୍ଡଳରୁ ଉଦ୍ଧର ଶ୍ରୀଗୁରୁ

ମଥା ସ୍ଥାପେ ଶ୍ରୀପୟରେ । ୪ ।

***

 

(ଯ)

 

ଯତନରେ ଭକ୍ତି, ଯୋଗକର ପରଂବ୍ରହ୍ମ ପାଦେ ନୀତି । ଘୋଷା ।

 

ଯୁବା ବାଲ୍ୟ ବୃଦ୍ଧା ନରନାରୀ, ସର୍ବ ଭଜ ଗୁରୁ ବାକ୍ୟ ସ୍ମରି;

ଯଶହିଁ ରହିବ ମୁକତି ଲଭିବ, ଯମ ଯାତନାକୁ ନାହିଁ ଭୀତି । ୧ ।

 

ଯତି ହୋଇ ଅବା ଗୃହେ ଥାଇ, ଯେ ଜନ ନିଷ୍ଠାରେ ଆତ୍ମଧ୍ୟାୟୀ,

ଯଥୋଚିତ ଫଳ, ଲଭେ ସେ ସକଳ ଯେଉଁ ଭାବେ କରୁଥାଇ ସ୍ତୁତି । ୨ ।

 

ଯେ ସମୟେ ମାତା ଗର୍ଭେ ଥିଲ, ପ୍ରଭୁଙ୍କୁ ଚିନ୍ତିଣ ଉଦ୍ଧରିଲ,

ଯନ୍ତ୍ରଣା ଅପାର ହୋଇଲା ନିବାର, ଜନମ ଲଭିଲ ଏହୁ କ୍ଷିତି । ୩ ।

 

ଯଥାର୍ଥ ବଚନ ମାନି ଏବେ, ସାଧୁସଙ୍ଗ କର ଚିହ୍ନି ସର୍ବେ ।

ଯୋଗୀଜନ ବେଶେ ସତ୍ୟ ବାକ୍ୟ ଭାଷେ, ଯାଚଞ୍ଜା ସାଧୁଙ୍କ ସଙ୍ଗପ୍ରତି । ୪ ।

***

 

(ର)

 

ଆଦିତାଳ, ରାଗ – ତୋଡ଼ି

 

ରୋମାଞ୍ଚିତ ହୋଇ ସର୍ବେ ରସନିତ୍ୟ ବ୍ରହ୍ମଭାବେ,

ରଟନା କର ସେ ନାମ ନ ଛାଡ଼ି ଲବେ । ଘୋଷା ।

 

ଋକ୍ଷ ବାକ୍ୟ ମନୁ ତେଜ ରାକ୍ଷାସଆଦି କୁକାର୍ଯ୍ୟ

ରୋଷ କାମ ଲୋଭ ମୋହେ ନ ଭୁଲି ଗର୍ବେ । ୧ ।

 

ରମଣୀ ସଙ୍ଗରେ ବାସ ନ କର କେବେ ବିଦୁଷ

ରୁଚି ହୁଅ ସାଧୁ ସଙ୍ଗେ ଭବୁତାରିବେ । ୨ ।

 

ରୀତି ଶାସ୍ତ୍ରାନୁବାକ୍ୟରେ ଚଳ ନିଷ୍କାମ ମତରେ

ରହିବ ଅଭୟ ପୁରେ ଭକ୍ତି ସ୍ୱଭାବେ । ୩ ।

 

ରଖି ବିଭୁପାଦେ ଧ୍ୟାନ ଆତ୍ମାକୁ କର ଦର୍ଶନ

ରକ୍ଷା କରତାଙ୍କୁ ଭଜ କହୁଛି ଏବେ । ୪ ।

***

 

(ଲ)

 

ଲୟ କର ହେ, ଲକ୍ଷ ଲକ୍ଷାର୍ଥ ମହା ବାକ୍ୟରେ;

ଲକ୍ଷଣା ଅର୍ଥ ତେଜି ଲକ୍ଷଣ ବୁଝ ହେଜି

ଲଭିବ ମୁକ୍ତି ଇହ ଜନ୍ମରେ । ଘୋଷା ।

 

ଲେଖି ନୁହଇ ନାମ ଅଲେଖ ମହାବ୍ରହ୍ମ

ଲାଭ ହୁଅଇ ସ୍ୱାନୁଭୂତିରେ । ୧ ।

 

ଲୋଡ଼ି ସୁସାଧୁ ସଙ୍ଗେ ବ୍ରହ୍ମ ଭଗତି ମାର୍ଗେ

ଲୌକିକ ଧର୍ମ କରି ଦୂରରେ । ୨ ।

 

ଲାଳସା ବିଷୟାରେ ନ ଭ୍ରମ କେବେ ଧୀରେ

ଲୋଲୁପ ହୁଅ ଆତ୍ମାଜ୍ଞାନରେ । ୩ ।

 

ଲବ୍ଧ କର ସୁଜନ ମହିମା ନାମ ଗୁଣ

ଲଳିତେ ଗାଅ ସାଧୁ ଗୀତିରେ । ୪ ।

***

 

(ବ)

 

ତାଳ ପହପଟ

 

ବିଜ୍ଞାନ ଜ୍ଞାନ ସାଧନେ

ବ୍ରହ୍ମ ପରାତ୍ପରେ ପଶ ଶରଣ

ବିଫଳ ସଂସାରେ ଜନ୍ମ ଲଭିଅଛ

ବୋଧକର ଆତ୍ମା ହେ ସୁଜ୍ଞଜନ । ଘୋଷା ।

 

ବେଷ୍ଟିତ ଅଟେ ଶରୀର ବ୍ୟସନ ନାନା ପ୍ରକାର

ବୃଥା ଅହଙ୍କାରେ ମଜ୍ଜି ନ ହରାଅ ରାତ୍ର ଦିନ । ୧ ।

 

ବଣା ହେଲେ ମାୟାବନେ ବନ୍ଦୀ ହେବ ଯେ ଅଜ୍ଞାନେ ।

ବାହ୍ୟ ଆଡ଼ମ୍ବରେ ମଜି ହୋଇବ ଅଧୋପତନ । ୨ ।

 

ବ୍ରତ କର ସତ୍ୟନାମ ବୁଝି ବେଦର ମରମ

ବଦନେ କର ବଖାଣ ମହିମା ଅଲେଖ ବ୍ରହ୍ମ । ୩ ।

 

ବଶିଷ୍ଠାଦି ମୁନିଗଣ ବିଭୁଙ୍କୁ କରି ଚିନ୍ତନ

ବସିଲେ ଅଭୟ ସ୍ଥାନେ ବିଧିମତେ ଗାଅନାମ । ୪ ।

 

(ଶ)

 

ଶ୍ରୀଗୁରୁଙ୍କ ପାଦେ ଭକ୍ତି ପ୍ରମୋଦେ

ଶରଣ ପଶ ସର୍ବେ ହୃଦୟାନନ୍ଦେ । ଘୋଷା ।

 

ଶ୍ରଦ୍ଧାନ୍ୱିତରେ, ଶାନ୍ତ ଚିତ୍ତରେ;

ଶୌଚ ହୋଇଣ ମଜ, ଅଧ୍ୟାତ୍ମାବାଦେ । ୧ ।

 

ଶକ୍ତି ଊର୍ଦ୍ଧ୍ୱରେ, ବ୍ରହ୍ମ ଭାବରେ;

ଶ୍ରେଷ୍ଠ ହୋଇ ରହିଛି ସେହୁ ନିଃଶବ୍ଦେ । ୨ ।

 

ଶିଥିଳ ନୋହି, ମନ ବୁଝାଇ;

ଶୀଘ୍ର ଅର୍ଜନ କର ଧ୍ୟାୟୀ ନିର୍ବେଦେ । ୩ ।

 

ଶୋଚନା ନାଶ ହେବ ଅବଶ୍ୟ;

ଶୀତଳେ ସାର ବାକ୍ୟ କହଇ ମନ୍ଦେ । ୪ ।

***

 

(ଷ)

 

ଷଷ୍ଠ ଚକ୍ର ଊର୍ଦ୍ଧ୍ୱ ସହସ୍ର କମଳେ ବ୍ରହ୍ମ ବିରାଜିଛି;

ଷୋଡ଼ଶ ଡମ୍ବରୁ ମଧ୍ୟର ମଧ୍ୟରେ,

ଅଜପାରେ ଖେଳୁଛି । ଘୋଷା ।

 

ଷଡ଼ାନନ ତାତ ହୋଇଣ ତଟସ୍ଥ, ଧ୍ୟାନେ ନିମଜିଛି । ୧ ।

 

ଷଟକର୍ମାଦିରେ ନପାଇ ସଧୀରେ, ସ୍ୱଭକ୍ତିରେ ମିଳୁଛି । ୨ ।

 

ଷଡ଼ରିପୁ ଜୟ ଯେ କରେ ନିଶ୍ଚୟ, ଲାଭ କରେ କିଛି । ୩ ।

 

ଷଟପଦ ପରି ରୁହ ଅନୁସରି, ଶାନ୍ତଭାବେ କହୁଛି ।

ପାଦେ ମକରନ୍ଦ ପୁରିଛି

ସୁଧା ଅହର୍ନିଶି ଝରୁଛି । ୪ ।

***

 

(ସ)

 

ଆଦିତାଳ, ରାଗ – କାମୋଦୀ

 

ସେ ସଚ୍ଚିଦାନନ୍ଦ, ପରଂବ୍ରହ୍ମରେ,

ସର୍ବଭୂତେ ପୁରିଛନ୍ତି ଆତ୍ମା ସ୍ୱରୂପରେ ।

ସଂଯୁକ୍ତ ନୋହେ ମାୟାରେ, ନିର୍ଲିପ୍ତସଦା କାଳରେ;

ସମାନ ଭାବରେ ଥାନ୍ତି, ଯେହ୍ନେ ବାୟୁ ଆକାଶରେ । ଘୋଷା ।

 

ସନାତନ ସେ ନିର୍ଗୁଣ; ଅଲେଖ ଅବ୍ୟକ୍ତ ନାମ,

ସତ୍ୟ ନିତ୍ୟ ଶୁଦ୍ଧ ଶାନ୍ତ ମହିମା ଯାର ।

ସେ ପ୍ରଭୁ ପାଦ କମଳେ, ଶରଣ ପଶ ସକଳେ;

ସନ୍ତାପ ବିନାଶ ହେବ ଭଜ ତାହଙ୍କୁ ସତ୍ୱରେ । ୧ ।

 

ସୂଚିତ ହୋଇଛି ବେଦେ, ବ୍ରହ୍ମନାମ ସୂତ୍ରପଦେ;

ସଦଗୁରୁଠାରୁ ବୁଝ ମନ ଆନନ୍ଦେ ।

ସନ୍ନ୍ୟାସ ଯୋଗରେ ଯାର ନିଷ୍ଠା ଅଟଇ ଅପାର,

ସେବ ତାହାଙ୍କ ପୟର କୁସଙ୍ଗ କରି ଦୂରରେ । ୨ ।

 

 

 

ସ୍ୱଗତ ଭାବ ବଦନେ ପ୍ରକାଶି ସୂନୃତ ପଣେ,

ସ୍ୱକୀୟ ହୃଦୟ ମଧ୍ୟେ କରି ବିଚାର ।

ସଦ୍ମୀକୁ ଗୁଋ ନକରି ସୁସାଧୁ ସଙ୍ଗେ ବିହରି,

ସତ୍ୟ ଉପଦେଶ ଘେନ ଲକ୍ଷରଖି ବେଦାନ୍ତରେ । ୩ ।

 

ସଂଯତ ଚିତ୍ତକୁ ନିତ୍ୟ ବ୍ରହ୍ମେ କରିଣ ଅର୍ପିତ,

ସୋଽହଂସ ସମାଧି ଯୋଗେ ମଜ ନିରତ ।

ସଂଶୟ ହେବ ଛେଦନ ପରମାତ୍ମା କଲେ ଧ୍ୟାନ,

ସ୍ଥିର ହେବ ମନପ୍ରାଣ ମୁକ୍ତ ହେବ ଚରମରେ । ୪ ।

***

 

(ହ)

 

ବିଷମ ଆଠତାଳି - ରାଗ କେଦାର

 

ହରଷ ଚିତ୍ତେ ହୁଅ ଆଶ୍ରିତ,

ହେଜି ଅଜପା ମାଳରେ,

ହରିବ କର୍ମ ଦୋଷ ହତହେବ କଳୁଷ

ହେୟ ସଂସାର ସୁଖ ତେଜି ଜ୍ଞାନବଳରେ । ଘୋଷା ।

 

ହୃଦରେ ଘୋଷ ନାମ ପୀୟୂଷ

ହେ ବିବୁଧେ କରି ଆଶ

ହେଳା ନ କରି କେଭେ ଜପସୁ ଅନଭବେ,

ହ୍ରାସ ଯିବ ସନ୍ତାପ ମଜ ଅହର୍ନିଶରେ । ୧ ।

 

ହିଂସାଦି କର୍ମ କୁକ୍ରିୟା ମାନ

ହ୍ରଦରେ ନହୁଅ ମରି,

ହୀନ ଆଚାର ମତ ତ୍ୟାଗ କର ତୁରିତ,

ହୃଷ୍ଟ ମନରେ ସଦା ଅର୍ଜ ଆତ୍ମା ତତ୍ତ୍ୱରେ । ୨ ।

 

 

 

ହ୍ରସ୍ୱ ବ୍ୟଞ୍ଜନ ଆଦିରୁ ଭିନ୍ନ,

ଅମାତ୍ରା ଅଲେଖ ବ୍ରହ୍ମ,

ହତାସ ନୁହ କେହି, ବିନ୍ଦୁ ନାଦରେ ନାହିଁ,

ହଂସ ସୋହଂସ ସୂତ୍ରେ ଲୋଡ଼ ଗୁଋ ଆଜ୍ଞାରେ । ୩ ।

 

ହସ୍ତ ପ୍ରସାରି କେ ପାରେ ଧରି,

ହେତୁରେ ରୁହ ସୁମରି,

ହସବାକ୍ୟ ନୁହଇ ହିତବାକ୍ୟ ଭାଷଇ,

ହତହେଲେ ଶରୀର ବାସ ଅଭୟ ପୁରେ, । ୪ ।

***

 

(କ୍ଷ)

 

କ୍ଷମାନନ୍ଦ ପାଦେ ଶରଣ ପଶୁଛି, କ୍ଷମାଦିଅ ଯେତେ କର୍ମଦୋଷ,

କ୍ଷାଳନ କର ମୋ ଅନ୍ତର ମାଳିନ୍ୟ, ସ୍ଥିତିପରେ ଜନ୍ମ ଦେଇଅଛ;

କ୍ଷମା ସାଗର ହେ,

କ୍ଷିପ୍ତ ଚିତ୍ତ ବାରେ ହେଉ ସ୍ଥର,

କ୍ଷୁଧା ତୃଷା ବ୍ୟାଧି ରୂପେ ଏ ଶରୀରେ,

କ୍ଷଣମାତ୍ର ନ ହୁଏ ଅନ୍ତର । ୧ ।

 

କ୍ଷମତା ନାହିଁ ଯେ ଏ ଦୁର୍ବଳ ହୃଦେ, କ୍ଷୀଣ ହେଉଛି ମନପ୍ରାଣ,

କ୍ଷିପ୍ର ଗତି ଭାବେ ଭ୍ରମଣ କରନ୍ତି କ୍ଷର ଦେହେ ନରହୁଛି ଟାଣ,

କ୍ଷତ୍ର ଅତୀତ ହେ

କ୍ଷେତ୍ରଜ୍ଞ ତବ ଆଭାର ନାମ

କ୍ଷରିତ ହୋଇଛି ଅବର୍ଣ୍ଣ ମଣ୍ଡଳୁ

ସୁଦୟାରେ କର ପରିତ୍ରାଣ । ୨ ।

 

କ୍ଷଣଦାଦିବାରେ ସୁପ୍ରେମ ଭାବରେ କ୍ଷେମମାର୍ଗେ ସଦା ଏ ଜୀବନ,

କ୍ଷୋଭ ନୋହି କେଭେ, ବିଷୟାନୁ ଭବେ; କ୍ଷାନ୍ତହୋଇ ରହୁ ଚୀରଦିନ

କ୍ଷମାଦାୟକ ହେ

କ୍ଷୟ କର ତ୍ରିଗୁଣ ବନ୍ଧନ,

କ୍ଷରଣ ନୋହିଲେ ସୁଧା ଶ୍ରୀପୟରୁ

ବପୂରୁ ଯେ ନିଶ୍ଚେ ହେବି ହୀନ । ୩ ।

 

କ୍ଷଣିକ ଭୋଗରେ ଅଷ୍ଟ ଐଶ୍ୱର୍ଯ୍ୟରେ ମୁଗ୍ଧହୁଏ ସ୍ୱଭାବିକ ମନ;

କ୍ଷତି ଏ ଅଙ୍ଗରେ ଲାଗେ ତ୍ରିତାପରେ କ୍ଷାଳିତ କର ନାମନୀରେଣ

କ୍ଷମାବେହାରି ହେ

କ୍ଷୁଦ୍ର ବୁଦ୍ଧରେ କରେ ଜଣାଣ,

କ୍ଷୁଣ୍ଣ ଦେହେ ରହି ନିତ୍ୟେ ଭାବୁଅଛି,

ଦୟାକର ହେ ଅଲେଖ ବ୍ରହ୍ମ । ୪ ।

***

 

ଗୀତର କଠିନ ଶବ୍ଦାର୍ଥ

(ପ୍ରାତଃ ସ୍ମରଣ)

 

କ୍ରୟ ଉପାଧି - ସ୍ଥୂଳ, ସୂକ୍ଷ୍ମ, କାରଣ ଶରୀର

 

ଦୁରାଶୟ - ଯାହାର ଅଭିପ୍ରାୟ ଦୁଷ୍ଟ

 

ଅବିଦ୍ୟା - ଅଜ୍ଞାନ, ମାୟା

 

ଅବସ୍ଥାର - ଜାଗ୍ରତ, ସ୍ୱପ୍ନ, ସୁସୁପ୍ତିର

 

ଅନ୍ତଃକରଣ - ମନ; ବୁଦ୍ଧି, ଅହଙ୍କାର, ଚିତ୍ତ

 

(ପ୍ରାତଃ ଅବକାଶ ଗୀତ)

 

(୧) ପ୍ରକ୍ଷାଳନ - ଧୌତ କରଣ

ବ୍ରାହ୍ମ ମୁହୂର୍ତ୍ତ - ଶେଷ ରାତ୍ରିର ଦୁଇଦଣ୍ଡ

ଶବ୍ଦଭୂତ – ଆକାଶ

 

(୨) ଭୂତାତ୍ମା - ପଞ୍ଚଭୂତାଦି

ଅଭୂତରେ - ଶୂନ୍ୟରେ

ମୋକ୍ଷଦ୍ୱାର ସ୍ଥିତ - ସମ, ସନ୍ତୋଷ, ବିଚାର, ସାଧୁସଙ୍ଗରେ ଅବସ୍ଥିତ

ତ୍ରିତାପ - ଆଧ୍ୟାତ୍ମିକ, ଆଧିଭୌତିକ, ଆଧିଦୈବିକତାପ

 

[ସାୟଂ ଜଣାଣ]

 

(୧) ଲବେ - ଅଳ୍ପେ

ପ୍ରପଞ୍ଚବାଦ - ସାଂସାରିକବାଦ[ଉପାସନା]

ସର୍ବଧର୍ମ - ତୀଥ, ବ୍ରତ ସଗୁଣ ଦେବ ଦେବୀର

ଆଭାସ - ପ୍ରତିବିମ୍ବ

 

(୩) ପଞ୍ଚ ବିଷୟ - ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ

ପଞ୍ଚକୋଷ - ଅନ୍ନମୟି, ପ୍ରାଣମୟ, ମନୋମୟ, ବିଜ୍ଞାନମୟ, ଆନନ୍ଦମୟ

 

(ଅ)

 

ଅଲିକ - ମିଥ୍ୟା

ଅପଚୟ - କ୍ଷତି

ଅନ୍ତରାୟ - ବିଘ୍ନ

ଅନୁତପ୍ତ - ସଂତପ୍ତ

ଅନୁଗତ - ଆଶ୍ରିତ

ଅକୂପାରେ - ସମୁଦ୍ରରେ

ଅଭିଜ୍ଞ - ଜ୍ଞାନବାନ

ଅସୂୟା - ଦ୍ୱେଷ

 

(ଆ)

 

ଆସ୍ୟେ - ଆନନେ

ଆସୀନ - ଉପବିଷ୍ଟ

 

(ଇ)

 

ଇୟତା - ସୀ

ଇନାମ୍‌ - ପୁରସ୍କାର

ଇତିରେ - ସମାପ୍ତିରେ

 

(ଈ)

 

ଈକ୍ଷିତ - ଦୃଷ୍ଟ

ଈକ୍ଷଣ - ଚକ୍ଷୁ

ଈଶାନ - ମହେଶ୍ୱର

ଈହା - ଚେଷ୍ଟା, ଯତ୍ନ

ଈପ୍‌ସା - ବାଞ୍ଛା

ଈଷତେ – କିଂଚିତେ

 

(ଉ)

 

ଉସତ - ଆନନ୍ଦି

ଉପଶମ - ନିବୃତ୍ତି

ଉପେକ୍ଷା - ତ୍ୟାଗ

ଉପାଧି – ଉପନାମ

 

(ଊ)

 

ଊହ୍ୱଭାବ – ବିତର୍କ ଭାବ

ଊଷର - ଲବଣାକ୍ତ

ଊଢ଼ - ବିବାହିତ

ଊର୍ମ୍ମି - ଲହରୀ

ଊଜସ୍ୱଳ - ଅତିତେଜସ୍ୱୀ

ଊନେ ଊନେ - କ୍ରମେ କ୍ରମେ

 

(ଋ)

 

ଋଜୁ - ସରଳ

 

ଋତ - ସତ୍ୟ

ଋଦ୍ଧି - ସମ୍ପଦ

ଋକ – ବେଦମନ୍ତ୍ର

 

(ୠ)

 

ୠଢ଼ - ପ୍ରସିଦ୍ଧ

ରୂପାସ୍ତ୍ର - କର୍ନ୍ଦପ

ରୂପକ - ତୁଳନା

 

(ଲୁ)

 

ଲୁକାୟିତ - ଗୁପ୍ତ

ଲୁଣ୍ଠନ - ଅପହରଣ

ଲୁଣ୍ଠନ – ଭୂମିଷ୍ଟ

ଲୁନ – ଛିନ୍ନ

 

(ଏ)

 

ଏଷଣା - ଅନ୍ୱେଷଣ

ଏକେ - ଅଦ୍ୱିତୀୟ ଭାବେ

 

(ଐ)

 

ଐହିକ - ଇହକାଳସମ୍ବନ୍ଧୀୟ

ଐଶ - ଈଶ୍ୱରସମ୍ବନ୍ଧୀୟ

ଐତିହ୍ୟ - ଯଶ, ପ୍ରବାଦ

 

(ଓ)

 

ଓଜସ୍ୱୀ - ତେଜସ୍ୱୀ

ଓତପ୍ରୋତ - ସବୁଆଡ଼େବ୍ୟାପ୍ତ

ଓଜର - ହେତୁ

ଓଝ - ଆଦିକାରଣ

ଓଘ - ପ୍ରବାହ

ତୁର୍ଯ୍ୟ – ଚତୁର୍ଥ

 

(ଔ)

 

ଔସୁକ୍ୟ - ଉତ୍କଣ୍ଠା, ଆଗ୍ରହ

ଔଦାର୍ଯ୍ୟ - ଉଦାରତା

 

(କ)

 

କଟାକ୍ଷ - ଆଦିଚାହାଣି

କୋଣପ - ତ୍ରିଧାତୁକ

 

(ଖ)

 

ଖ୍ୟାତନାମ - ପ୍ରସିଦ୍ଧ ପ୍ରଭୁନାମ

 

(ଗ)

 

ଗୁପ୍ତଧନ - କାୟମନୋବାକ୍ୟେ ପରମବ୍ରହ୍ମେଶରଣଃ

 

(ଘ)

 

ଘଟଣ ପୁରୁଷ - ପରମାତ୍ମା

ତ୍ରିକୁଟ – ତ୍ରିନାଡ଼ିରସନ୍ଧିସ୍ଥାନ

 

(ଚ)

 

ଚପଳ – ଚଞ୍ଚଳ

 

(ଛ)

 

ଛଦ୍ମବେଶ - କପଟବେଶ

ଛଡ଼ସମ୍ପତ୍ତି – ଶମଦମାଦି, ଷଟ୍‌ ସମ୍ପତ୍ତ

 

(ଜ)

 

ଜୀବିକା - ଜୀବନୋପାୟ

ଜରାୟୁ – ଗର୍ଭାଶୟ

 

(ଝ)

 

ଝସାଅ - ବଳାକ୍ତାରେପ୍ରବେଶ

ଝଞ୍ଜାଳ - କଂସାଳାଦି ବାଦ୍ୟ

 

(ଞ)

 

ନିରଞ୍ଜନ - ପରଂବ୍ରହ୍ମ

ନିର୍ବିକଳ୍ପ - ବିକଳ୍ପ ରହିତ

ନିରାଲମ୍ବ - ଅବଲମ୍ବ ଶୂନ୍ୟ

 

(ଟ)

 

ଟକ - ଖାଇବା ଲାଳସା

ଟାସରା - ରସ ଶୂନ୍ୟ

 

(ଠ)

 

ଠଉର - ନିର୍ଣ୍ଣୟ କରିବା

ଠଣ - ଶୋଭା

ଠେକ – ଆଶ୍ରୟ

 

(ଡ)

 

ଡକାଇତ - ଖଣ୍ଟ

ଡିଣ୍ଡିମ - ବାଦ୍ୟ ବିଶେଷ

 

(ଢ)

 

ଢମ - ଆଡ଼ମ୍ବର

ଢଳ ଢଳ - ଅସ୍ଥିର

ଢୌକନ – ଉପହାର

 

(ଣ)

 

ମୂର୍ଦ୍ଧା – ମସ୍ତକ

 

(ତ)

 

ତ୍ରିପାଦ - ଓଁକାର

ତରସ୍ୱୀ – ଦ୍ରୁତଗାମୀ

 

(ଥ)

 

ଥର ଥର - କମ୍ପିତ

ଥକା – କ୍ଳାନ୍ତି

 

(ଦ)

 

ଦନୁଜ - ରାକ୍ଷସ

ଦୁର୍ବୃତ୍ତ - ଦୁଶ୍ଚରିତ୍ର କର୍ମ

 

(ଧ)

 

ଧନ୍ଦି ନୁହ - ବ୍ୟସ୍ତ ନ ହୁଅ

ଧୂର୍ତ୍ତ – ପ୍ରବଞ୍ଚକ

 

(ନ)

 

ଚତୁର୍ବିଧାହାର - ଚାରି ପ୍ରକାର ଆହାର

 

(ପ)

 

ପବିତ୍ର - ଗୋମୟ ସଜ୍ଜ୍ୱଳାଦି

ସାଷ୍ଟାଙ୍ଗେନନି - ଅଷ୍ଟାଙ୍ଗରେ ପ୍ରଣାମ

 

 

 

(ଫ)

 

ଫରୁଣା - ଆହ୍ଲାଦ

ଫଳଶ୍ରୁତି - କର୍ମର ଫଳଶ୍ରବଣ

 

(ବ)

 

ବୋଧ - ଜ୍ଞାନ

ବାଳିଶ – ମୂର୍ଖ

 

(ଭ)

 

ଭବନ - ଆଳୟ

ଉତ୍କଣ୍ଠା - ଉଦ୍‌ବେଗ

 

(ମ)

 

ମୁଖ୍ୟ - ପ୍ରଧାନ

ମୁମୁକ୍ଷା - ମୁକ୍ତି ପାଇବାର ଇଚ୍ଛା

 

(ଯ)

 

ଯୋଗ - ମିଳନ

ଯାଚଞା – ପ୍ରାର୍ଥନା

 

(ର)

 

ରୋମାଞ୍ଚିତ - ପୁଲକିତ

ଋକ୍ଷ - କର୍କଶ

ରୋଷ - କ୍ରୋଧ

ଲକ୍ଷଣ - ପ୍ରକୃତ ଅର୍ଥ ପରିବର୍ତ୍ତରେ ଅନ୍ୟାର୍ଥ ବୋଧିନୀ ଶକ୍ତି

ଲକ୍ଷଣ - ପରିଚୟ

ସ୍ୱାନୁଭୂତିର - ନିଜ ଅନୁଭବରେ

ଲୌକିକ ଧର୍ମ - ସଂସାରିକଧର୍ମ

ଲୋଲୁପ - ଅତୀ ଲୋଭୀ

ଲଳିତେ - ମଧୁର ଭାବେ

 

(ବ)

 

ବିଜ୍ଞାନ - ଆତ୍ମାତତ୍ତ୍ୱଜ୍ଞାନ

ଜ୍ଞାନ ସାଧନ - ଅମାନିତ୍ୱାଦି ବିଂଶତି ଜ୍ଞାନ ସାଧନ

ବ୍ୟସନ - ଦୁଃଖ

 

(ଶ)

 

ପ୍ରମୋଦେ - ବିଶେଷ ଆନନ୍ଦ ଭାବେ

ଶ୍ରଦ୍ଧାନ୍ୱିତ - ବିଶ୍ୱାସ ଯୁକ୍ତ

ଶିଥିଳ - ଅଳସ

ଶୋଚନା ନାଶ - ଶୋକ ବିନାଶ

 

(ଷ)

 

ଷୋଡ଼ଶ ଡମ୍ବରୁ - ଶରୀରର ମେରୁଦଣ୍ଡ

ଷଟକର୍ମ - ବ୍ରାହ୍ମଣର ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟାପନ ଦାନ, ପ୍ରତିଗ୍ରହ

 

(ସ)

 

ସଚ୍ଚିଦାନନ୍ଦ - ନିତ୍ୟ ଜ୍ଞାନ ଆନନ୍ଦ ସ୍ୱରୂପ ବ୍ରହ୍ମ

ସ୍ଥଚିତ - ସଙ୍କେତ ଦ୍ୱାରା ଜ୍ଞାପିତ

ସ୍ୱଗତ - ମନୋଗତ

ସୂତନ୍ତ - ସତ୍ୟ ଓ ପ୍ରିୟବାକ୍ୟ

ସଦ୍ମୀ - ଗୃହୀ

 

(ହ)

 

ହେୟ - ତୁଚ୍ଛ

ହ୍ରାସ – କ୍ଷୟ

 

(କ୍ଷ)

 

କ୍ଷାଳନ - ଧୌତ

କ୍ଷିପ୍ତ - ଉନ୍ନତ

କ୍ଷିପ୍ରଗତି – ଶୀଘ୍ର ଗତି

କ୍ଷର ଦେହ - ନଶ୍ୱର ଦେହ

କ୍ଷେତ୍ର - ଶରୀର

କ୍ଷେତ୍ରଜ୍ଞ-ଜୀବାତ୍ମା

କ୍ଷଣଦା - ରାତ୍ରି

କ୍ଷେମ - ଶୁଭ

କ୍ଷୋଭ - ଚାଞ୍ଚଲ୍ୟ

କ୍ଷାନ୍ତ - ନିବୃତ୍ତ

କ୍ଷମ - ସମର୍ଥ

କ୍ଷରଣ - ସ୍ରବିବା

କ୍ଷୂବ୍ଧ - ବିଚଳିତ

କ୍ଷତ - ବିଦ୍ଧ,ବିଦୀର୍ଣ୍ଣ

କ୍ଷାଳିତ - ପରିଷ୍କୃତ

କ୍ଷୂର୍ଣ୍ଣ – ଆହତ

***